ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : “ବିକଶିତ ଗାଁ, ବିକଶିତ ଓଡିଶା” ସମୃଦ୍ଧ ଓଡ଼ିଶାର ନୂତନ ପରିଭାଷା । ଆଜି ପୂର୍ବାହ୍ଣ ୧୧ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ମିନି ଷ୍ଟାଡିୟମଠାରେ “ବିକଶିତ ଗାଁ, ବିକଶିତ ଓଡିଶା” ଯୋଜନାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକସ୍ତରରେ ଏହି କାର୍ଯ୍ୟକ୍ରମକୁ ଅଭାଷୀ ମାଧ୍ୟମରେ ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଥିଲା । ଭାରତର ଆତ୍ମା ଗାଁରେ ରହିଛି ବୋଲି ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ମୁଖ୍ୟମନ୍ତ୍ରୀ ସ୍ମରଣ କରାଇଥିଲେ । ଗାଁର ବିକାଶ ବିନା ରାଜ୍ୟର ବିକାଶ ପରିକଳ୍ପନା ଅସମ୍ଭବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ଗାଁରେ ସହରର ସୁଖ ଓ ସ୍ଵାଚ୍ଛନ୍ଦ୍ୟ ଉପଲବ୍ଧ କରାଇବା ସହ ଗାଁର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥା କ୍ଷେତ୍ରରେ ବିକାଶ ଆଣିବା ରାଜ୍ୟ ସରକାରଙ୍କର ମୂଳ ଉଦ୍ଦେଶ୍ୟ । ଏହି ଯୋଜନା ମାଧ୍ୟମରେ ପ୍ରତି ଗାଁ ସ୍ମାର୍ଟ ଗାଁରେ ପରିଣତ ହେବ । ଗାଁ ହସିଲେ ରାଜ୍ୟ ହସିବ । ୨୦୪୭ ମସିହା ସୁଦ୍ଧା ଭାରତ ବର୍ଷକୁ ସାରା ବିଶ୍ୱରେ ପ୍ରଥମ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯେଉଁ ସ୍ୱପ୍ନ ରହିଛି ତାକୁ ସାକାର କରିବାକୁ ଖୋର୍ଦ୍ଧାର ପାଇକ ମାଟିରେ ରାଜ୍ୟବାସୀଙ୍କୁ ସେ ଆହ୍ୱାନ ଦେଇଥିଲେ । ଗାଁର ଭାଗବତ ଟୁଙ୍ଗି, ଭୋଗ ମଣ୍ଡପ, କମ୍ୟୁନିଟି ହଲ, ମନ୍ଦିର ଉନ୍ନତି, ପ୍ରାଥମିକ ବିଦ୍ୟାଳୟ ଗୃହର ସମ୍ପ୍ରସାରଣ, ଗାଁ ଖେଳପଡିଆ ଆଦି ଉନ୍ନତିକର କାର୍ଯ୍ୟ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀକରଣ, ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଅଞ୍ଚଳରେ ଆଭ୍ୟନ୍ତରୀଣ ଓ ଆନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗୀକରଣ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ବିକାଶ ଓ ଉନ୍ନତିକରଣ, ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ ଭଲି ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟାନ୍ଵୟନ ପାଇଁ ୫ ବର୍ଷ ମଧ୍ୟରେ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଡେଲାଙ୍ଗ ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଡେଲାଙ୍ଗ ବ୍ଲକ ସହାୟକ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ, ଡେଲାଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ସିଡିପିଓ ଜାପାନୀ ମିତ୍ର, ବ୍ଲକ ପ୍ରଶାସନ ଅଧିକାରୀ ଓ କର୍ମକର୍ତ୍ତା, ସରପଞ୍ଚ, ସମିତି ସଭ୍ୟସଭ୍ୟା, ୱାର୍ଡ ମେମ୍ବର, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ ।
Next Post