ତୁରେକେଲା, (ପିତାମ୍ବର ଦୀପ) : ଦୁନିଆ ଦିନକୁ ଦିନକୁ ଆଗକୁ ବଢ଼ିବାରେ ଲାଗିଛି ହେଲେ ଏବେ ମଧ୍ୟ କିଛି ଅଞ୍ଚଳ ରହିଛି ଯାହା ମୌଳିକ ସୁବିଧାରୁ ବଞ୍ଚିତ ରହିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତୁରେକେଲା ବ୍ଲକ ଅଧିନରେ ଥିବା ଘୁନେଶ ପଂଚାୟତ ଅନ୍ତର୍ଗତ ବର୍ଲା ଗାଁର ଚଣ୍ଡିପଡାରେ । ଉପାନ୍ତ ଇଲାକାରେ ରହିଥିବା ଏହି ଚଣ୍ଡିପଡାରେ ରହିଛି ଅନେକ ସମସ୍ୟା । ସେ ଭିତରୁ ମୁଖ୍ୟ ସମସ୍ୟା ହେଉଛି ପାଣି ଏବଂ ରାସ୍ତା । ପିଇବା ପାଇଁ ପାଣି ଓ ଚାଲିବା ପାଇଁ ଭଲ ରାସ୍ତା ନଥିବାରୁ ଅନେକ ଅସୁବିଧା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁର ଜନସଂଖ୍ୟା କହିଲେ ୪୦୦ରୁ ଅଧିକ । ସେ ମଧ୍ୟରୁ ଭୋଟର ଅଛନ୍ତି ୨୦୦ରୁ ଅଧିକ । ରାଜ୍ୟ ସରକାର ଗାଁକୁ ଗାଁ ପକ୍କା ରାସ୍ତା ଯୋଜନା କରୁଥିବା ବେଳେ ଏହାର ବ୍ୟତିକ୍ରମ ଏଠି ଦେଖାବାକୁ ମିଳିଛି । ଘନେଶ ପଂଚାୟତରୁ ଏକ କଚ୍ଚା ରାସ୍ତା ଦେଇ ଦୀର୍ଘ ବର୍ଷ ହେଲା ଚଣ୍ଡିପଡା ଗ୍ରାମବାସୀ ଯାତାୟତ କରୁଛନ୍ତି । ପ୍ରାୟ ୩ କି.ମି. ଗଲା ପରେ କିଛି ସୁବିଧା ପାଉଛନ୍ତି ଗ୍ରାମବାସୀ । ଖାଉଟି କାର୍ଡ ଥିବା ହିତାଧିକାରୀ ୩ କି.ମି. ବାଟ ଚାଲି ଚାଉଳ ଆଣିବାକୁ ଯାଉଛନ୍ତି । ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନାହିଁ ଯାହା ଦ୍ୱାରା ଗର୍ଭବତୀ ମହିଳା ଓ ରୋଗୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ବର୍ଷା ଦିନରେ ବାଟ ଚାଲିବା ଗ୍ରାମବାସୀଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି । ଏବେ ଶୀତ ଓ ଗ୍ରୀଷ୍ମ ଦିନରେ ଯଦି ପ୍ରଶାସନ ରାସ୍ତାଟିକୁ ଭଲ କରିଦେବେ ତେବେ ବାଟ ଚାଲିବାକୁ ସୁବିଧା ହେବ ବୋଲି ଚଣ୍ଡିପଡାବାସୀ ଗୁହାରୀ କରିଛନ୍ତି ।