ସାହିତ୍ୟ ଏକାଡେମୀରେ ଲିଥୁଆନିଆର ଲେଖକଙ୍କ ଗଳ୍ପ ପାଠ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଲିଥୁଆନିଆ ଗଣରାଜ୍ୟର ଦୂତାବାସ ସହଯୋଗରେ ସାହିତ୍ୟ ଏକାଡେମୀ ଦ୍ୱାରା ଏକ ସ୍ୱତନ୍ତ୍ର ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲିଥୁଆନିଆର ପ୍ରଖ୍ୟାତ ଲେଖକ, ଦାର୍ଶନିକ ଏବଂ ସମାଲୋଚକ ୟାରୋସ୍ଲାଭାସ୍ ମେଲନିକାସ୍ ତାଙ୍କ ଗଳ୍ପ ସଂଗ୍ରହ ‘ଦି ଲାଷ୍ଟ ଡେ’ରୁ ଏକ ଗଳ୍ପ ପାଠ କରିଥିଲେ । ଭାରତରେ ଥିବା ଲିଥୁଆନିଆ ଦୂତାବାସର ରାଷ୍ଟ୍ରଦୂତ ଡାଏନା ମିକେଭିସିଏନେ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସାହିତ୍ୟ ଏକାଡେମୀର ସଚିବ କେ. ଶ୍ରୀନିବାସରାଓ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସ୍ୱାଗତ ଭାଷଣରେ ଡକ୍ଟର ରାଓ କହିଥିଲେ ଯେ, ସମସ୍ତ ଲେଖକ ଆମ ଜୀବନ ଏବଂ ଚାରିପାଖର ପରିବେଶ ମଧ୍ୟରେ ସମ୍ପର୍କକୁ ବୁଝିବାକୁ ଚେଷ୍ଟା କରନ୍ତି । ଏହି ପ୍ରକ୍ରିୟା ମଧ୍ୟରେ ପ୍ରତ୍ୟେକ ଲେଖକ ଏହାକୁ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖନ୍ତି ଏବଂ ଲେଖନ୍ତି । ୟାରୋସ୍ଲାଭସ୍ ମେଲନିକସ୍ ଜଣେ ଦାର୍ଶନିକ ଏବଂ ଚିନ୍ତକଭାବରେ ମାନବ ଅସ୍ତିତ୍ୱ ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇ ଆସୁଛନ୍ତି । ଆଧୁନିକ ସମାଜରେ ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ଯୋଗୁଁ ଆସିଥିବା ପରିବର୍ତ୍ତନଗୁଡ଼ିକୁ ସେ ଗମ୍ଭୀରତାର ସହିତ ଅନୁଭବ କରି ଲେଖିଛନ୍ତି । ଏହା ଆମର ନୈତିକ ଆଚରଣ ଉପରେ କିଭଳି ପ୍ରଭାବ ପକାଏ ତାହା ମଧ୍ୟ ଦର୍ଶାଇଛନ୍ତି । ଲିଥୁଆନିଆ ଦୂତାବାସର ରାଷ୍ଟ୍ରଦୂତ ଡାଏନା ମିକେଭିସିଏନେ ଏଭଲି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସାହିତ୍ୟ ଏକାଡେମୀକୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ଅନୁବାଦ ମାଧ୍ୟମରେ ଲିଥୁଆନିଆ ଏବଂ ଭାରତର ସାହିତ୍ୟ ମଧ୍ୟରେ ଆଦାନ ପ୍ରଦାନପାଇଁ ଉଦ୍ୟମ କରାଯିବ । ନିଜର ପରିଚୟ ଦେଇ ୟାରୋସ୍ଲାଭାସ୍ ମେଲନିକସ୍ କହିଥିଲେ ଯେ, ସେ ୧୫ଟି ପୁସ୍ତକ ରଚନା କରିଛନ୍ତି ଯାହା ଇଂରାଜୀ, ଜର୍ମାନ ଏବଂ ଫରାସୀ ଭାଷାରେ ଅନୂଦିତ ହୋଇଯାଇଛି । ନିକଟରେ, ତାଙ୍କ କାହାଣୀ ଉପରେ ଆଧାରିତ ଏକ ଫିଚର ଫିଲ୍ମ ମଧ୍ୟ ପ୍ରଦର୍ଶିତ ହୋଇଛି । ତା’ପରେ ସେ ଲିଥୁଆନିଆନ ଭାଷାରେ ତାଙ୍କ ଗଳ୍ପର ଏକ ଅଂଶ ପାଠ କରିଥିଲେ ଏବଂ ତାହାର ଇଂରାଜୀ ଅନୁବାଦ ରାଷ୍ଟ୍ରଦୂତଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା । ଏହା ପରେ ରେଖା ସେଠୀ ସମ୍ପୂର୍ଣ୍ଣ କାହାଣୀର ହିନ୍ଦୀ ଅନୁବାଦ ଉପସ୍ଥାପନ କରିଥିଲେ ଯାହାର ଶୀର୍ଷକ ଥିଲା “ତୁମେ ମୋତେ କ୍ଷମା କରିବ କି?” କାହାଣୀଟିରେ ମାନବୀୟ ଭାବନାକୁ ଭିନ୍ନ ଢଙ୍ଗରେ ଦର୍ଶାଯାଇଛି । କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଶ୍ରୋତାମାନେ ଲେଖକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ।

Leave A Reply

Your email address will not be published.