ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ କଳା ପରିଷଦର ୪୭ତମ ବାର୍ଷିକୋତ୍ସବ ଓ ସର୍ବ ଭାରତୀୟ ନୃତ୍ୟତ୍ସୋବ ଆସନ୍ତା ଫେବୃଆରୀ ମାସ ୬ ଓ ୭ ତାରିଖ ଦିନ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ପରିଷଦ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ପରିଷଦର ଉପସଭାପତି ଚନ୍ଦ୍ରଶେଖର ଶତପଥୀ, ସାଧାରଣ ସମ୍ପାଦକ ପ୍ରକାଶ ରାଉଳ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ୬ ତାରିଖ ଦିନ ସାଢେ଼ ୧୧ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ପ୍ରାୟ ୩୦ଟି ସୋଲୋ ନୃତ୍ୟ, ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏ ରାଜ୍ୟ ବାହାରୁ ଆସିଥିବା ୧୫ଟି ଗୃପର ନୃତ୍ୟ ପରିବେଷଣ କରାଯିବ । ୭ ତାରିଖ ଦିନ ପରିଷଦର ନୃତ୍ୟଶିଳ୍ପୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏହି ଅବସରରେ ଜି ଟିଭିରେ ସନ୍ଦୀପ ରଥ ଓ ପ୍ରିନ୍ସ ଡ୍ୟାନ୍ସ ଗୃପର ଟି. କ୍ରିଷ୍ଣା ମୋହନ ରେଡ୍ଡୀ ଯୋଗଦେବେ । ସେମାନଙ୍କୁ ଇସ୍ପାତ କଳା ପରିଷଦ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ଚଳିତ ବର୍ଷ ବିଶିଷ୍ଟ ପଖୌଜ ବାଦକ ଗୁରୁ ଗୋଲକ ବିହାରୀ ରାଉତଙ୍କୁ କାଶୀନାଥ ରାଉଳ ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ । ୭ ତାରିଖ ଦିନ ସନ୍ଧ୍ୟାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଅନୁଷ୍ଠାନର ବାପାଙ୍କ ସମ୍ପର୍କିତ ନୃତ୍ୟ ଓ ଦଶାବତାରର ଗ୍ଲାନି ସଂହାର ମୁଖ୍ୟ ଆକର୍ଷଣ ହେବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ଏହି ମହୋତ୍ସବରେ ସୁନ୍ଦରଗଡ ଜିଲ୍ଲା ବ୍ୟତୀତ ବଲାଙ୍ଗିର, ବରଗଡ଼, ଭୁବନେଶ୍ୱର, ରାଞ୍ଚି, ରାୟପୁର ଅଞ୍ଚଳରୁ ନୃତ୍ୟ ଶିଳ୍ପୀମାନେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ସହରବାସୀ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପାଦିକା କଳ୍ପନା ଶତପଥୀ, ପ୍ରବୀଣ ସାମଲ, ନୃତ୍ୟ ଗୁରୁ କୋମଳରାଣୀ ସୂତାର, ବିଲୋଚନ ପାତ୍ର, ପ୍ରସନ୍ନଜିତ ପାଢ଼ୀ, ବିଶ୍ୱଜିତ ଦାସ, ଆଦିଲକ୍ଷ୍ମୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।