ରାୟଗଡ଼ା (ଅକ୍ଷୟ କୁମାର ପିଡ଼ିସିକା) : ଗତ ୫ ତାରିଖ ଦିନ କାଶୀପୁର ସ୍ଥିତ ଡ଼ମ୍ବସାହିରେ ଏକ ୭୦ ବର୍ଷୀୟା ଅସହାୟ ବିଧବା ବୃଦ୍ଧାଙ୍କ ଘର କୌଣସି କାରଣ ବଶତଃ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା । ବୃଦ୍ଧା ଓ ତିନି ନାତିନାତୁଣୀ ସହାୟତା ନିମନ୍ତେ ପ୍ରଶାସନକୁ ଗୁହାରି କରିଥିଲେ । ସେହି ଘଟଣା ଗଣମାଧ୍ୟମରେ ପ୍ରସାର ପ୍ରଚାର ହେବାପରେ ରାୟଗଡା ବିଧାୟକ ଆପଲା ସ୍ୱାମୀ କାଡ୍ରାକା କାଶୀପୁର ଗସ୍ତରେ ଆସି ଅସହାୟ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି । କାଶୀପୁରରେ ଅସହ୍ୟ ଶୀତ ହେଉଥିବାରୁ ପରିବାର ପାଇଁ ଶୀତବସ୍ତ୍ର, କମ୍ବଳ, ଶାଢ଼ୀ, ଚାଉଳ ଓ କିଛି ଆସବାବ ସାମଗ୍ରୀ ପ୍ରଦାନ କରିଥିଲେ । ପରେ ସମ୍ପୂର୍ଣ୍ଣ କ୍ଷୟକ୍ଷତିକୁ ଅନୁମାନ କରି ବ୍ଲକ ପ୍ରଶାସନ ଓ ତହସିଲ ଅଧିକାରୀଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ତାଙ୍କ ପକ୍ଷରୁ ଯଥା ସମ୍ଭବ ସହଯୋଗ କରିବେ ବୋଲି ବିଧବା ବୃଦ୍ଧାଙ୍କୁ କହିଥିଲେ । ଏହାପରେ ଶ୍ରୀ କାଡ୍ରାକା ଉକ୍ତ ସାହିରେ ଥିବା ମାଁ ଭଗବତୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଶିଶୁ ଖାଦ୍ୟ ଛତୁଆ ପ୍ରସ୍ତୁତ କେନ୍ଦ୍ରକୁ ମଧ୍ୟ ପରିଦର୍ଶନ କରିଥିଲେ । ଶିଶୁ ଖାଦ୍ୟ ଛତୁଆ ପ୍ରସ୍ତୁତ ସମୟରେ ସ୍ୱୟଂ ସହାୟିକା ମହିଳାମାନେ କେଉଁ ପ୍ରକାର ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରୁଛନ୍ତି, ଛତୁଆ ପ୍ରସ୍ତୁତି ସାମଗ୍ରୀ ଓ କେଉଁ ମାନର ଛତୁଆ ପ୍ରସ୍ତୁତି କରାଯାଉଛି ଏହାର ଟିକିନିକି ତଥ୍ୟ ପଚାରି ବୁଝିଥିଲେ । ଏହି ଅବସରରେ ବିଧାୟକଙ୍କ ସହ ସାଂସଦ ପ୍ରତିନିଧି ସାନ୍ଧୁଚରଣ ମାଝୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଯୋସେଫ ଖସଲା, ବ୍ଲକ ସଭାପତି ଅଙ୍ଗଦ ନାଏକ, ବ୍ଲକ ଯୁବ ସଭାପତି ଜିଝରୁ ମାଝୀ, ରାଜ୍ୟ କୃଷକ ସେଲ ସମ୍ପାଦକ ପି. ଦେବେନ୍ଦ୍ର ରାଓ, ଜୟନ୍ତୁ ବୋଇଠାରୁ, ରାଜେନ୍ଦ୍ର ନାଏକ, ସୁନାସିଂ ମାଝୀ, ପାଇଲ ମାଝୀ, କୁନାପାଢୀ ନାଏକ, ମିଥୁନ ନାଏକ, ବ୍ଲକ ନାରୀସଭା ନେତ୍ରୀ ଗୌରୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।