ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱର ୟୁନିଟ୍ – ୧ ସ୍ଥିତ ଆଦିବାସୀ ଗ୍ରାଉଣ୍ଡରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସର୍ଗିଫୁଲ ମହୋତ୍ସବରେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି କୃତକାର୍ଯ୍ୟ ହୋଇଛନ୍ତି ବିରକାଲଡିହି ଏସ୍ଏସ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ମହେଶ୍ୱର ତନ୍ତୀ(୧୩) । ରାଜ୍ୟର ୩୦ଟି ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ଭିତରେ ସେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ମହେଶ୍ୱରଙ୍କ ଏଭଳି ସଫଳତା ଖବର ଆସିଲା ପରେ ବିରକାଲଡିହି ଏସ୍ଏସ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ପ୍ରଧାନ ଶିକ୍ଷକ କଳାଚାନ୍ଦ ପଟେଲ, ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତି ଚୌଧୁରୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମହେଶ୍ୱରଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ବଣପାହାଡ ଘେରା କଇଁତରା ଗ୍ରାମର ଶୁଭକର ତନ୍ତୀ ଓ ରିତା ତନ୍ତୀଙ୍କ ପୁଅ ମହେଶ୍ଵରଙ୍କ ଛୋଟ ଦିନରୁ ହିଁ ନୃତ୍ୟ ପ୍ରତି ଅହେତୁକ ଦୁର୍ବଳତା ରହିଥିବା ବେଳେ ଉପଯୁକ୍ତ ସୁଯୋଗ ଓ ପ୍ରୋତ୍ସାହନ ଅଭାବରୁ ଉକ୍ତ ପ୍ରତିଭାର ସୁଗନ୍ଧ ସମାଜର ଦୃଷ୍ଟି ଆକର୍ଷଣ କରିବା ପରିବର୍ତ୍ତେ ବଣର ମଲ୍ଲି ଭଳି ବଣ ଭିତରେ ଫୁଟି ଧିରେ ଧିରେ ବଣ ଭିତରେ ହିଁ ମଉଳିଯିବାକୁ ବସିଥିଲା । ତେବେ ବିରକାଲଡିହି ଉଚ୍ଚ ବିଦ୍ୟାଳୟରେ ମହେଶ୍ଵର ପ୍ରବେଶ କଲାପରେ ତାଙ୍କ ଭିତରେ ଖୁନ୍ଦି ହୋଇଥିବା ସୁପ୍ତ ପ୍ରତିଭାକୁ ଚିହ୍ନି ପାରିଥିଲେ ଶିକ୍ଷକ ଶିକ୍ଷୟିତ୍ରୀ । ତାପରେ ତାର କଳାର ବିକାଶ ପାଇଁ ବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରଚେଷ୍ଟା କରାଯାଇଥିଲା । ଫଳସ୍ୱରପ ଆଜି ମହେଶ୍ଵର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ଏଭଳି ସଫଳତା ବିଷୟରେ ମହେଶ୍ଵରଙ୍କୁ ପଚାରିବାରୁ ଗାଇଡ ଶିକ୍ଷକ ସଞ୍ଜୀବ ସିଙ୍ଘିଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରେରଣା ଓ ପ୍ରୋତ୍ସାହନକୁ ସେ ଶ୍ରେୟ ଦେଇଥିବା ବେଳେ ଭବିଷ୍ୟତରେ ଜଣେ ଭଲ ନୃତ୍ୟଶିଳ୍ପୀ ହେବା ସହିତ ଲୁପ୍ତ ହେବାକୁ ବସିଥିବା ପାରମ୍ପରିକ କଳାର ବିକାଶ ପାଇଁ କାର୍ଯ୍ୟ କରିବି ବୋଲି ପ୍ରକାଶ କରିଛନ୍ତି ।