jayashree

ରାଜଯକ୍ଷ୍ମା ଅର୍ଥାତ୍ ଟି.ବି. ରୋଗର ନିରାକରଣ ପାଇଁ ୧୦୦ ଦିନର ପଦକ୍ଷେପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜଯକ୍ଷ୍ମା ଅବା ଟି.ବି.ରୋଗର ନିରାକରଣ ପାଇଁ ତଥା ଏହାକୁ ସାରା ଭାରତରୁ ମୂଳ-ଉତ୍ପାଟନ କରିବା ନିମନ୍ତେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ୧୦୦ ଦିନର ପଦକ୍ଷେପ ଗ୍ରହଣ କରାଯାଇଛି । ସର୍ବୋପରି ଡିସେମ୍ବର ୭ ତାରିଖରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ପ୍ରତିଟି ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କ ଠାରୁ ଲକ୍ଷଣ ସର୍ଭେ କରାଯାଇ କଫ ସଂଗ୍ରହ କରିବା ଏବଂ ଟି.ବି.ରୋଗର ନିରାକରଣ ସତର୍କତା ଅବଲମ୍ବନ କରିବା ବିଷୟରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଅବସରରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟି.ବି. ରୋଗୀ ରଶ୍ମିତା ଗୌଡ଼, ନିରଞ୍ଜନ ରେଡ୍ଡୀ, ଉର୍ମିଳା ବେହେରାଙ୍କ ସମେତ ୧୧୦ ଜଣ ଟି.ବି. ରୋଗୀମାନଙ୍କୁ ପୋଷଣ ଖାଦ୍ୟ କିଟ୍ ଏବଂ ଔଷଧ ବିତରଣ କରାଯାଇଛି । ମେଡିକାଲ ସୁପରିଟେଣ୍ଡଣ୍ଟ ଡ଼ା. ସ୍ୱାଧୀନ ରଥ, ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର ସାହୁ, ଦ୍ଵିତୀୟ ଶ୍ରେଣୀ ସ୍ଵାସ୍ଥ୍ୟଧିକାରୀ ଡା. ଅଜିତ କୁମାର ନାୟକ, ବ୍ଲକ ସ୍ତରୀୟ ଆୟୁଷ ଡ଼ାକ୍ତର ଚନ୍ଦ୍ର ଶେଖର ମିଶ୍ର, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ଛତ୍ରପୁର ପ୍ରେସ କ୍ଲବ ସଭାପତି ରବିନ୍ଦ୍ର ନାଥ ପଣ୍ଡା, ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ ପ୍ରମୁଖ ମଞ୍ଚାସୀନ ହୋଇ ଟିବି ରୋଗର ସଚେତନତା ଅଭିଯାନ କାର୍ଯ୍ୟକ୍ରମର ଆୟୋଜିତ ଆନୁଷ୍ଠାନିକ ସଭାରେ ଯୋଗ ଦେଇ ସଚେତନତାର ବାର୍ତ୍ତା ଦେଇଥିଲେ । ଟି.ବି. ଚାମ୍ପିୟାନ ମୁନା ବେହେରା, ଆଶା ଦିଦି ନିର୍ମଳା ବେହେରା, ଏଲ୍.ଟି.ଶ୍ରୀଧର ବେହେରା, ଆର୍. ରୋଜା ରେଡ୍ଡୀ, ଟି.ପଦ୍ମଜା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.