ବଲାଙ୍ଗିର, (ଦେବାଶିଷ ମିଶ୍ର) : ପତିତପାବନ ଏକାଡେମୀ ୧୯୮୯ ମେଟ୍ରିକ ବ୍ୟାଚ୍ର ପୁରାତନ ଛାତ୍ରମାନଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୮୦ ଜଣ ପୁରାତନ ଛାତ୍ର ଅଂଶଗ୍ରହଣ କରି ନିଜ ନିଜ ଭିତରେ ଭାବର ଆଦାନପ୍ରଦାନ କରିଥିଲେ । ପୁରୁଣା ଦିନର ସ୍କୁଲ ଜୀବନର ସ୍ମୃତିକୁ ମନେ ପକାଇଥିଲେ । ଏହି ଅବସରରେ ନେସନାଲ ପିସ୍ ୟୁନିସନ୍ ତତ୍ତ୍ୱାବଧାନରେ ତଥା ସୁରେନ୍ଦ୍ର ସାଏ ଦିବ୍ୟଜ୍ୟୋତି ଅଭିଯାନ ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୧୯୮୯ ମେଟ୍ରିକ ବ୍ୟାଚର ବହୁ ପୁରାତନ ଛାତ୍ର ଆଖି ପରୀକ୍ଷା କରି ଚଷମା ନେଇଥିଲେ । ପ୍ରଥମେ ଏହି ବ୍ୟାଚ୍ର ପୁରାତନ ଛାତ୍ର ଜିତେନ୍ଦ୍ର କୁମ୍ଭାର ଓ ନାରାୟଣ ଭୋଇଙ୍କ ବିୟୋଗରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସଙ୍ଗୀତ, ଗୀତ ଓ ନାଚର ତାଳେ ତାଳେ ସମସ୍ତେ ଝୁମିଥିଲେ । ଗାୟକ ବୁବୁ ଉଦ୍ଗାତା, ସମ୍ବଲପୁରରୁ ଆସିଥିବା ଷ୍ଟେଜ ଗାୟିକା ଓ କିଛି ପୁରାତନ ଛାତ୍ରଙ୍କ କଣ୍ଠରେ ସୁମଧୁର ସଙ୍ଗୀତ ମାହୋଲକୁ ଆହୁରି ରଙ୍ଗୀନ କରିଦେଇଥିଲା । ଆସନ୍ତା ମଙ୍ଗଳବାର ଦିନ ୧୯୮୯ ମେଟ୍ରିକ ବ୍ୟାଚ୍ର ପୁରାତନ ଛାତ୍ରମାନଙ୍କ ପକ୍ଷରୁ ପି.ପି. ଏକାଡେମୀ ଡାଇମଣ୍ଡ ଜୁବୁଲି ପାଇଁ ୨୫ ହଜାର ଟଙ୍କା ସହଯୋଗ ରାଶି ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ଜାନୁୟାରୀ ମାସରେ ୧୯୮୯ ମେଟ୍ରିକ ବ୍ୟାଚର ପୁରାତନ ଛାତ୍ରମାନଙ୍କ ଏକ ଫେମିଲି ପିକ୍ନିକ ଆୟୋଜନ ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।