jayashree

କାଳ ହେଲା ବାଘ ଛାଲ ବେପାର : ଜଣକୁ ବାନ୍ଧିଲା ଏସ୍‌ଟିଏଫ୍ ଟିମ୍‌

ହରଭଙ୍ଗା, (କେପିଏନ୍‌ଏସ୍‌) : ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମନମୁଣ୍ଡା ବନାଞ୍ଚଳରୁ ଚିତାବାଘ ଛାଲ ଜବତ କରିବା ସହ ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିୀଛି ଏସ୍‌ଟିଏଫ୍‌ ଟିମ୍‌ । ସୂଚନା ଅନୁଯାୟୀ ଚିତାବାଘ ଛାଲ ଚାଲାଣ ହେବାକୁ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ନିର୍ଦ୍ଧିଷ୍ଟ ସ୍ଥାନରେ ଛକି ରହିଥିଲା ଏସ୍‌ଟିଏଫ୍‌ର ଏକ ଟିମ୍‌ । ମନମୁଣ୍ଡା ଥାନା ମନମୁଣ୍ଡା- ଶଗଡା ରାସ୍ତାର ମେହେରୁଣୀ ନାଳ ବ୍ରିଜ ନିକଟରେ ଜଣେ ବ୍ୟକ୍ତିକୁ ସନ୍ଦେହ କରି ଜେରା କରାଯାଇଥିଲା । ଅନେକ ସମୟ ଜେରା ପରେ ସତକୁ ସତ ନିକଟରେ ଲୁଚାଇ ରଖିଥିବା ଏକ ଚିତା ବାଘ ଛାଲ ସହିତ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ମିଳିଥିଲା । ବାଘଛାଲ ଜବତ ସହ ଘଟଣାସ୍ଥଳରୁ ଉକ୍ତ ବ୍ୟକ୍ତିକୁ ଗିରଫ କରାଯାଇଥିଲା । ଗିରଫ ଯୁବକ ଜଣକ ମନମୁଣ୍ଡା ଥାନା ଦପଲା ପଞ୍ଚାୟତ ଅନ୍ତର୍ଗତ ପରିବନ୍ଧ ଗ୍ରାମର ନାରାୟଣ ମାଝୀ (୨୮) ବୋଲି ଜଣାପଡିଛି । ବନ୍ୟଜନ୍ତୁ ଅପରାଧୀକ ଆଇନ ଓ ବନ୍ୟଜନ୍ତୁ ଦ୍ରବ୍ୟର କାରବାର ଆଇନ ଅନୁଯାୟୀ ନାରାୟଣକୁ ଗିରଫ କରାଯାଇ କଣ୍ଟାମାଳ କୋର୍ଟରେ ହାଜର କରାଯାଇଥିଲା । ଏ ସମ୍ପର୍କରେ ଏସ୍‌ଟିଏଫ୍‌ ପକ୍ଷରୁ କେସ୍‌ ନଂ ୨୩ରେ ଏକା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖାଯାଇଥିବା ବେଳେ ଉକ୍ତ ବାଘ ଛାଲକୁ ଡେରାଡୁନ ସ୍ଥିତ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଯିବ ବୋଲି ଏସ୍‌ଟିଏଫ୍‌ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.