jayashree

ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪

  • ଷଷ୍ଠ ଦିନ ରଙ୍ଗମଞ୍ଚର ନାଟକ ଜୀବନ ଯେମିତି ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠ ପୋଷକତାରେ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ର ଷଷ୍ଠ ଦିବସରେ ରଙ୍ଗମଞ୍ଚର ନାଟକ ଜୀବନ ଯେମିତି ମଞ୍ଚସ୍ଥ ହୋଇଯାଇଛି । ଝିଲିମା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ଚରଣ ମହାନ୍ତି ଯୋଗଦେଇ ଥିବା ବେଳେ ଶ୍ରମିକ ନେତା ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଅନ୍ୟ ବିଶିଷ୍ଟ ଅତିଥି ଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର ପଟ୍ଟନାୟକ, ଶର୍ମିଷ୍ଠା କବିଶତପଥୀ, ଆନନ୍ଦ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏକତ୍ର ପକ୍ଷରୁ ଭାସ୍କର ଚନ୍ଦ୍ର ମହାପାତ୍ର ସ୍ୱାଗତ ଅଭିଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ରାଜକୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ନାଟକ ସମାଜର ସମସ୍ତ କଥା ପରିପ୍ରକାଶ କରିବା ସହିତ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସୂଚେଇ ଥାଏ । କଳାକୁ ଗୁରୁତ୍ୱ ଦେଲେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ହେବ ବୋଲି ମତ ପ୍ରକାଶ କରିଥିଲେ । ରଙ୍ଗମଞ୍ଚର ନାଟକ ଜୀବନ ଯେମିତିର ନାଟ୍ୟକାର ଡ଼ଃ. ପଞ୍ଚାନନ ପାତ୍ର ଓ କୈଳାଶ ପାଣିଗ୍ରାହୀଙ୍କ ନିର୍ଦ୍ଦେଶିତ ଏହି ନାଟକର କାହାଣୀ ହେଲା ଜଣେ ମଣିଷ ଅନ୍ୟ ଜଣେ ମଣିଷକୁ ବୁଝିପାରିଲେ ପରିବାର ତିଷ୍ଠି ରହେ । କିନ୍ତୁ ବେଳେ ବେଳେ ଜୀବନରୁ ଛନ୍ଦ ହଜିଯାଏ, ଫଳରେ ଭୁଷୁଡି ପଡେ ସମ୍ପର୍କର ସେତୁ, ପୁଣି ଥରେ ଜୀବନର ଛନ୍ଦ ଫେରିଲା ବେଳକୁ ଅନେକ କିଛି ନଷ୍ଟ ଭ୍ରଷ୍ଟ ହୋଇଯାଇଥାଏ । ହଜି ଯାଇଥାଏ ବୟସ । ସେତେବେଳକୁ ଅନୁତାପ ଛଡା ଆଉ କିଛି ନଥାଏ, ଏହିଭଳି କାହାଣୀକୁ ନେଇ ନାଟକଟି ଗତିଶୀଳ ହୋଇଛି । ଏଥିରେ ସୁଦେଶ ନାୟକ, ଉମାଶଙ୍କର ପଣ୍ଡା, ସରୋଜ ଶଙ୍ଖୁଆ, ସୌମ୍ୟରଞ୍ଜନ ଲେଙ୍କା, ଦେବଜିତ ପଟ୍ଟନାୟକ, ସୌମ୍ୟା ସୁଚରିତା ଓ କୈଳାଶ ପାଣିଗ୍ରାହୀ ପ୍ରମୁଖ ଅଭିନୟ କରିଥିବା ବେଳେ ସଂଗୀତରେ ଅମୂଲ୍ୟ ବିଶୋଇ, ମଞ୍ଚ ପରିଚାଳନା ଲକ୍ଷ୍ମୀ କାନ୍ତ ପଟ୍ଟନାୟକ, ରୂପସଜ୍ଜାରେ ହରିହର ବଳ, ଆଲୋକରେ ସାଗର ସ୍ଵରୁପ ସ୍ୱାଇଁ ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ନାୟକ, ଅକ୍ଷୟ ଧଳ, ଡ଼ଃ ସମର ମୁଦାଲି, ରମେଶ ମହାନ୍ତି , ପ୍ରଜ୍ଞାନନ୍ଦ ମହାନ୍ତି, ଡ଼ଃ କୃପାସିନ୍ଧୁ ନାୟକ, ବିଜୟ ପାତ୍ର, ପ୍ରବୀର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମଞ୍ଚ କାର୍ଯ୍ୟକ୍ରମରେ କଲ୍ୟାଣୀ ଦାସ ଓ ସନ୍ଧ୍ୟା ପଟ୍ଟନାୟକ ସହଯୋଗ କରିଥିଲେ ।

Leave A Reply

Your email address will not be published.