ମୁନିଗୁଡା, (ରମାକାନ୍ତ ପଡ଼ାଲ୍) : ରାୟଗଡ଼ା ଜିଲ୍ଲାର ଭକ୍ତି ବତ୍ସଳ ତଥା ଆଧ୍ୟାତ୍ମିକ ଭାବନାର ପଥିକ ମୁନିଗୁଡ଼ା ବ୍ଲକ ସଦର ମହକୁମା ପାଇକସାହି । ଏହି ସାହିର ବିଜୁପଟ୍ଟନାୟକ ଯୁବକ ସଂଘ ଓ ସାହି ବାସିନ୍ଦାଙ୍କ ସହଯୋଗରେ ଦୀର୍ଘ ୩୭ ବର୍ଷ ହେବ ମାର୍ଗଶୀର ମାସର ମା ମହାଲକ୍ଷ୍ମୀଙ୍କ ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଫୁଲବାଣୀ, କଳାହାଣ୍ଡି, କୋରାପୁଟ, ରାୟଗଡା ଜିଲ୍ଲାର ଭକ୍ତି ରୂପକ ଦର୍ଶକଙ୍କୁ ଟାଣିଆଣୁଛି । ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ପରି ଚଳିତ ବର୍ଷ ବଧ୍ୟ ମାର୍ଗଶୀର ମାସର ତୃତୀୟ ଗୁରୁବାର ମାଁ ମହାଲକ୍ଷ୍ମୀ ପାଇକସାହି ଲକ୍ଷ୍ମୀ ମଣ୍ଡପରେ ଧରା ବତାରଣ କରି ପୂଜା ପାଇ ଯାତ୍ରାର ଶୁଭାରମ୍ଭ କରି ୧୮ତାରିଖରେ ସମାପ୍ତ ହେବାକୁ କମିଟି ସ୍ଥିର କରିଥିବା ସୂଚନା ମିଳିଛି । ଏଥିପାଇଁ ସକାଳୁ ଲକ୍ଷ୍ମୀ ମଣ୍ଡପରେ ନିୟମିତ ବରିଷ୍ଠ ପୂଜକ ଜଗବନ୍ଧୁ ପଣ୍ଡାଙ୍କ ନେତୃତ୍ୱରେ ସହଯୋଗୀ ପୂଜକ ନିକୁଞ୍ଜ ଶତପଥୀ, ବାବୁନୀ ମହାପାତ୍ର, ଶ୍ୟାମସୁନ୍ଦର ଦାସ, ସୁରେଶ ରଥଙ୍କ ମିଳିତ ସହଯୋଗ ଅରକ୍ଷିତ ମାର୍ଥା ଓ ରବିନ୍ଦ୍ରନାଥ ପଣ୍ଡାଙ୍କ ସଙ୍କଳ୍ପରେ ସୂର୍ଯ୍ୟପୂଜା କରାଯାଉଥିଲା । ପରେ ମୁନିଖୋଲ ନଦୀରେ ଗଙ୍ଗା ଆବାହନ କରି ମହିଳାମାନଙ୍କ ଦ୍ଵାରା ୧୦୮ କଳସ ଯାତ୍ରାକୁ ଶଙ୍ଖ, ଘଣ୍ଟ, ହରିବୋଲ ହୁଳହୁଳି ଧ୍ୱନୀ ସହ ଶିଙ୍ଗବାଜାର ତାଳେ ତାଳେ ବଜାର ପରିକ୍ରମା କରି ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା । ଚକ୍ଷୁଦାନ ପରେ ମା’ଙ୍କର ପୂଜାର୍ଚ୍ଚନା କରାଯାଇ ହୋମ ଯଜ୍ଞର ଆୟୋଜନ ହୋଇଥିଲା । ମା’ଙ୍କ ଯାତ୍ରାକୁ ସରସ ସୁନ୍ଦର କରିବାକୁ ଆକର୍ଷଣୀୟ ପୂଜା ମଣ୍ଡପ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ମୁନିଗୁଡ଼ା ଚମକୁଛି । ମିନାବଜାର ଆକର୍ଷଣୀୟ ପାଲଟିଥିବା ବେଳେ ରାମ ଦୋଳି, ମ୍ୟାଜିକ୍, ଡ୍ରାଗନ, ବ୍ରେକଡ୍ୟାନ୍ସ ସହ ପିଲାଙ୍କ ଜମ୍ଫି ଖେଳର ମଜା ନେବେ ଦର୍ଶକ, ଏହା ଛଡା ବିଭିନ୍ନ ପ୍ରକାର ଶତାଧିକ ଦୋକାନ ପ୍ରସ୍ତୁତି ହେଉଥିବା ବେଳେ ଫାଷ୍ଟ ଫୁଡ ଓ ଠୁଙ୍ଗା ପୁରୀର ଶୁଭାରମ୍ଭ ହୋଇଯାଇଛି । ଆସନ୍ତା ୧୦ ତାରିଖରୁ ଓଡ଼ିଶାର ସୁନାମଧନ୍ୟ ଅପେରା ରଙ୍ଗମହଲର ଅଭିନୟ ଦେଖିବା ବିନିମୟରେ ବିଭିନ୍ନ ସୁବିଧା ହାସଲ କରିପାରିବେ ଲୋକମାନେ । ଲୋକ ଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଏହି ଯାତ୍ରା ହେଉଛି ଜନ ସାଧାରଣଙ୍କର ଏହାର ସ୍ୱଚ୍ଛତା ଏବଂ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କମିଟିର ସଭାପତି ଅଜୀତ ନାୟକ (କାଳିଆ), ସମ୍ପାଦକ ଚନ୍ଦନ ସାହୁ (ପିଣ୍ଟୁ), ଉପସଭାପତି ରମାକାନ୍ତ ମାର୍ଥା, କୋଷାଧ୍ୟକ୍ଷ ଅମିତ୍ ପଟ୍ଟନାୟକ ପ୍ରମୁଖ ଅନୁରୋଧ କରିଛନ୍ତି ।