ନୂଆପଡା, (ଅଜିତ ବେହେରା) : ବାଜା ବାଜୁଛି, ବାଣ ଫୁଟୁଛି, ନାଚଗୀତ ସହ ସୁନା ଝିଅକୁ ଘରକୁ ପାଛୋଟି ନେଉଛନ୍ତି ପରିବାର ଲୋକେ ଓ ଆତ୍ମୀୟ ସ୍ୱଜନ । ଏହି ଦୃଶ୍ୟ ହେଉଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ହାତୀବନ୍ଧା ଗ୍ରାମର । ଦିଲ୍ଲୀ ଠାରେ ଅନୁଷ୍ଠିତ ଜାତୀୟ ସ୍ତରର ମଡେଲିଂ ପ୍ରତିଯୋଗିତାରେ ମିସ୍ ଟିନ୍ ଦିଭା ଇଣ୍ଡିଆ ଟାଇଟଲ ଜିତିଲା ପରେ ଏମିତି ଢଙ୍ଗରେ ସ୍ଵାଗତ କରୁଛନ୍ତି ପରିବାର ଲୋକେ । ହାତୀବନ୍ଧା ଗ୍ରାମର ରୋମାଞ୍ଚଲ ମେହେର ଓ ଗୀତାଞ୍ଜଳି ମେହେରଙ୍କ ଝିଅ କୁମୋସ୍ ମେହେର । ସିନାପାଲି କଲେଜରେ ଯୁକ୍ତ ୩ ବିଜ୍ଞାନରେ ପ୍ରଥମ ବର୍ଷ ଛାତ୍ରୀ । କଲେଜରେ ପଢ଼ିବା ସହ ଭୁବନେଶ୍ଵରରରେ କୋଚିଂ ନେଉଛନ୍ତି । ଏହା ସହ ନାଚଗୀତ ଓ ମଡେଲିଂରେ ତାଙ୍କର ରୁଚି ରହିଛି । ଦିଲ୍ଲୀଠାରେ ଅନୁଷ୍ଠିତ ମିସ୍ ଟିନ୍ ଦିଭା ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେବାପାଇଁ ସେ ଭୁବନେଶ୍ଵରରେ ଅଡିସନ୍ ଦେଇ ପାସ୍ କରିଥିଲେ । ପରେ ଦିଲ୍ଲୀ ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଅନ୍ୟାନ୍ୟ ରାଜ୍ୟର ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ସେ ଟାଇଟଲ ଜିତିଥିଲେ । ଆୟୋଜକ କମିଟି ତାଙ୍କୁ ବିଜୟୀ ମୁକୁଟ ସହ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ଆଜି ସେ ଘରେ ପହଞ୍ଚିବା ପରେ ପରିବାର ଲୋକେ ଓ ଗ୍ରାମବାସୀ ବାଜା ବଜାଇ, ବାଣ ଫୁଟାଇ ତାଙ୍କୁ ସ୍ୱାଗତ କରିଥିଲେ ଓ ଗ୍ରାମ ପରିକ୍ରମା କରାଇଥିଲେ । ତାଙ୍କର ଦୃଢ଼ ମନୋବଳ ଓ କଠୋର ପରିଶ୍ରମ ତାଙ୍କୁ ସଫଳତା ଆଣି ଦେଇଛି ବୋଲି ପରିବାର ଲୋକଙ୍କ ମତ । ପାଠପଢାରେ କୃତିତ୍ୱ ସହ ଜଣେ ଅଭିନେତ୍ରୀ ହେବାକୁ ତାଙ୍କର ଇଚ୍ଛା ବୋଲି କୁମୋସ କହିଛନ୍ତି ।