ନୂଆପଡ଼ା, (ଅଜିତ ବେହେରା) : ଜିଲ୍ଲା ବୋଡ଼େନ ବ୍ଲକ ନାଗପଡ଼ା ପଞ୍ଚାୟତରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବିଡ଼ିଓ ସୁଶାନ୍ତ କୁମାର ରଣା, ତହସିଲଦାର ସରିତା ଗୁପ୍ତା, ସ୍ଥାନୀୟ ସରପଞ୍ଚ ଗମ୍ଭିର ତାଣ୍ଡି ପ୍ରମୁଖ ଅତିଥି ହିସାବରେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ । ସଭାରେ ଉପ ନିର୍ଦେଶକ ହସ୍ତଶିଳ୍ପ ପୁଷ୍ପରଂଜନ ସାହୁ,ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଲିଡ୍ ବ୍ୟାଙ୍କ୍ ମେନେଜର ସୀତାରାମ ମେହେର, ଜିଲ୍ଲା ଶିଳ୍ପ କେନ୍ଦ୍ର ମେନେଜର ସମିର ମୁଦୁଲି, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରମୁଖ ଯୋଗଦେଇ ଶ୍ରମିକ କୃଷକ ତଥା ଜନସାଧାରଣଙ୍କ ପାଇଁ ଥିବା ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ । ସୂଚନା ଯୋଗ୍ୟ ଯେ, ଜିଲ୍ଲାରେ ସମସ୍ତ ଶ୍ରମିକଙ୍କୁ ବିଭିନ୍ନ ବିଭାଗରୁ କାମ ଯୋଗଦେବା ପାଇଁ ଜିଲ୍ଲାପାଳ ଲାଇନ୍ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ବର୍ତ୍ତମାନ ସୁଦ୍ଧା ନୂଆପଡ଼ା ବ୍ଲକ୍ରେ ୩୫୨୯ ଜଣ, କୋମନା ବ୍ଲକ୍ରେ ୨୨୬୨ ଜଣ, ବୋଡ଼େନ ବ୍ଲକରେ ୧୮୩୪ ଜଣ, ଖରୀଆର ବ୍ଲକରେ ୧୩୫୩ ଜଣ, ସିନାପାଲି ବ୍ଲକରେ ୧୫୩୯ ଜଣ ଏହିପରି ସର୍ବମୋଟ ୧୦୭୭୯ ଜଣଙ୍କୁ ଶ୍ରମଭିତ୍ତିକ କାମ ତଥା ବିଭାଗୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ସେଥିରୁ କୃଷି ବିଭାଗ ୨୦୫ ଜଣ, ଉଦ୍ୟାନ କୃଷି ବିଭାଗ ୧୧୦୩ ଜଣ, ପଶୁ ସମ୍ପଦ ବିଭାଗ ୫୫୩୫ ଜଣ, ମୃତ୍ତିକା ସଂରକ୍ଷଣ ବିଭାଗ ଓ ଉଦ୍ୟାନ କୃଷି ମିଳିତ ଭାବରେ ୨୮୯୪ ଜଣ, ମତ୍ସ୍ୟ ବିଭାଗ ୨୪ ଜଣ, ଲାଇନ୍ ବିଭାଗ ୧୧୩ ଜଣଙ୍କୁ ଶ୍ରମ ଭିତ୍ତିକ କାମ ତଥା ଏଲ୍ଡିଏମ୍ ଜରିଆରେ ୫୯୪ ଜଣକୁ ବ୍ୟାଙ୍କ ଋଣ ଯୋଗାଇ ଦିଆଯିବ । ଜିଲ୍ଲାପାଳ ଗ୍ରାମବାସୀ ମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଘର ପାଖରେ ବିଭିନ୍ନ ଶ୍ରମଭିତ୍ତିକ କାମ ତଥା ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ ଋଣ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନଯିବା ପାଇଁ ସମସ୍ତେ ଶପଥ ନିଅନ୍ତୁ । ମହିଳାମାନେ ଏ ବିଷୟରେ ସଚେତନ ହେଲେ ନିଜ ପରିବାରର ସ୍ଵାମୀ ପୁଅ ମାନଙ୍କୁ ସେମାନେ ଏଥିରୁ ରୋକି ପାରିବେ । ନିଜ ଗ୍ରାମରେ ପରିବାର ଗହଣରେ ରହି କାମ କରି ସୁଖୀ ଏବଂ ନିରୋଗ ଜୀବନ ଜୀବନ ଜିଇଁବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ଵାନ ଦେଇଛନ୍ତି । ଶେଷରେ ସରକାରଂକ ବିଭିନ୍ନ ଯୋଜନା ଓ ପ୍ରବାସୀ ଶ୍ରମିକର ଅପକାରିତା ସମ୍ୱନ୍ଧରେ ଗ୍ରାମବାସୀ ମାନଙ୍କୁ ଅବଗତ କରାଇବା ପାଇଁ ଗୁରୁ ଉପେନ୍ଦ୍ର ସଲମା ଓ ସାଥୀ ପାଲା ପରିବେଷଣ କରିଥିଲେ ।