କୋଭିଡ କଟକଣା ମଧ୍ୟରେ ପରମ୍ପରା ଅନୁସାରେ ଆସନ୍ତା ୧୯ରେ ହେବ ପ୍ରସିଦ୍ଧ ଶୁଲିଆ ଯାତ୍ରା : ପଡ଼ିବ ବଳି

ଦେଓଗାଁ, (ମନୀଷ କୁମାର ସାହୁ) : ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ ଦେଓଗାଁ ବ୍ଲକର ପ୍ରସିଦ୍ଧ ଶୁଲିଆ ଯାତ୍ରା । ସେଥିପାଇଁ ଚାଲିଛି ପସ୍ତୁତି । ଚଳିତ ବର୍ଷ କୋଭିଡ କଟକଣା ଭିତରେ ପରମ୍ପରା ଅନୁଯାୟୀ ପଡିବ ବଳି ବୋଲି ଦେହେରିଆମାନେ ମତ ପ୍ରକାଶ କରିଛନ୍ତି । ମଙ୍ଗଳବାର ଶୁଲିଆ ଖଳାରେ ଅନୁଷ୍ଠିତ ଏକ ବୈଠକରେ କୋଭିଡ ନିୟମ ମାନି ଚଳିତ ବର୍ଷର ଯାତ୍ରା ଅନୁଷ୍ଠିତ ହେବ ବୋଲି ବଡ଼ ଶୁଲିଆ ଖଳାରେ ନିଷ୍ପତ୍ତି ହୋଇଯାଇଛି । ଏହି କମିଟିର ନିଷ୍ପତ୍ତି ଅନୁଯାୟୀ ଯାତ୍ରା ପୀଠରେ ଭିଡ଼ ନ କରି ଭକ୍ତମାନେ ମାକ୍ସ ବ୍ୟବହାର କରି ଧାଡ଼ିରେ ଯାତ୍ରା ସ୍ଥଳକୁ ଯାଇ ଦର୍ଶନ କରିବେ ବୋଲି ମତ ପ୍ରକାଶ ପାଇଛି । ଦେଓଗାଁ ବ୍ଲକ କୁଳୁତାପଡ଼ା ପଞ୍ଚାୟତର ଖଇରଗୁଡା ଓ କୁମୁରିଆ ଶୁଲିଆ ଖଳାର ଦେହେରୀମାନେ ଉପସ୍ଥିତ ରହି ଯାତ୍ରା ପରିଚାଳନା କିପରି ହେବ ସେ ଦିଗରେ ମତ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଦେଓଗାଁ ବ୍ଲକ ଅନ୍ତର୍ଗତ କୁଲୁତାପଡ଼ା ପଞ୍ଚାୟତର ଖାଇରଗୁଡା ଓ କୁମୁରିଆ ଗାଁରେ ପୌଷ ମାସ ଶୁକ୍ଳ ପକ୍ଷର ପ୍ରଥମ ମଙ୍ଗଳବାର ଦିନ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଆଦିବାସୀ ପରମ୍ପରା ଏହି ଯାତ୍ରାରେ ଫୁଲ, ଦୋପ, ନଡ଼ିଆ ଭୋଗ ସହ ପୋଢ଼, ମେଣ୍ଢା ବୋଦା ବଲି ଦେଇ ମାନସିକ ଧାରୀମାନେ ପୂଜାର୍ଚ୍ଚନା କରିଥାନ୍ତି। ଆସନ୍ତା ୧୯ତାରିଖ ଦିନ ଏହି ଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.