୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଗଠିତ ହେବ ସମର୍ପିତ ଟାସ୍କ ଫୋର୍ସ : କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
● ଭୁବନେଶ୍ୱରରେ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଦୁଇ ଦିନିଆ ଚିନ୍ତନ ଶିବିର ଉଦ୍ଯାପିତ
● ଅକ୍ଷୟ ଶକ୍ତି କ୍ଷେତ୍ରରେ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ହାକାଥନ୍ ଆୟୋଜନ କରିବ ମନ୍ତ୍ରଣାଳୟ : କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ
● ଶକ୍ତି ମନ୍ତ୍ରଣାଳୟ ସହିତ ସମନ୍ୱୟ ସ୍ଥାପନ କରି ଗବେଷଣା ଓ ବିକାଶ କ୍ଷେତ୍ରରେ ପ୍ରତିଷ୍ଠା କରାଯିବ ଉତ୍କର୍ଷ କେନ୍ଦ୍ର : କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ
ଭୁବନେଶ୍ୱର, (ପିଆଇବି) : ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଶକ୍ତି ମନ୍ତ୍ରଣାଳୟ ସହଭାଗିତାରେ ସବୁ ଅଂଶୀଦାରଙ୍କୁ ନେଇ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଏକ ସମର୍ପିତ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଘୋଷଣା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଭୁବନେଶ୍ୱର ଠାରେ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଦୁଇ ଦିନିଆ ଚିନ୍ତନ ଶିବିରର ଉଦ୍ଯାପନୀ ସମାରୋହକୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି । ଆସନ୍ତା ଛଅ ବର୍ଷ ମଧ୍ୟରେ ୨୮୮ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ସ୍ଥାପନ କରିବାର ଆବଶ୍ୟକତା ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ, ଯେଉଁଥିରେ ପ୍ରସାରଣ ଭିତ୍ତିଭୂମି ସମେତ ୪୨ ଲକ୍ଷ କୋଟି ଟଙ୍କାର ନିବେଶ ଆବଶ୍ୟକତା ରହିଛି । ଅକ୍ଷୟ ଶକ୍ତି କ୍ଷେତ୍ରରେ ବିଭିନ୍ନ ଆହ୍ୱାନର ସମାଧାନ ପାଇଁ ସମସ୍ତ ଅଂଶୀଦାରମାନେ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଉଲ୍ଲେଖ କରିଥିଲେ ଯେ ଏହି କାର୍ଯ୍ୟକ୍ରମରେ ୧୨ଟି ପ୍ରମୁଖ ଅକ୍ଷୟ ଶକ୍ତି ଉତ୍ପାଦନକାରୀ ରାଜ୍ୟ ଅଂଶଗ୍ରହଣ କରିବା ସହିତ ୧୧୭ ଜଣ ଶିଳ୍ପପତି ଏବଂ ରାଜ୍ୟ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ୬୭ ଜଣ ପ୍ରତିନିଧି ଭାଗନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ‘‘ପଞ୍ଚାମୃତ’’ ସଂକଳ୍ପ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇ ସେ ୨୦୩୦ ମସିହାରେ ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଅକ୍ଷୟ ଶକ୍ତି ପ୍ରଯୁକ୍ତି ଓ ସମାଧାନର ସ୍ୱଦେଶୀକରଣକୁ ପ୍ରୋତ୍ସାହିତ କରିବାର ପ୍ରତିଶ୍ରୁତିବଦ୍ଧତା ସହିତ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅକ୍ଷୟ ଶକ୍ତି କ୍ଷେତ୍ରରେ ଷ୍ଟାର୍ଟଅପଗୁଡିକ ପାଇଁ ହାକାଥନ ଆୟୋଜନ କରିବ । ଆର୍ଇ କ୍ଷେତ୍ରରେ ଉଦ୍ଭାବନ ଏବଂ ବୈଷୟିକ ଉନ୍ନତିକୁ ପ୍ରୋତ୍ସାହିତ କରିବା ପାଇଁ ଶକ୍ତି ମନ୍ତ୍ରଣାଳୟ ସହଯୋଗରେ ଗବେଷଣା ଓ ବିକାଶ ପାଇଁ ଏକ ନୂତନ ଯୁଗ୍ମ ଉତ୍କର୍ଷ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ । ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକର ସଫଳତା ସୁନିଶ୍ଚିତ କରିବା ପାଇଁ ବିଦ୍ୟୁତ କ୍ରୟ ଚୁକ୍ତି (ପିପିଏ)କୁ ଶୀଘ୍ର ଚୂଡ଼ାନ୍ତ ରୂପ ଦେବା ଏବଂ ଅକ୍ଷୟ କ୍ରୟ ଉତ୍ତରଦାୟିତ୍ୱ (ଆର୍ପିଓ)କୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଶ୍ରୀ ଯୋଶୀ କହିଥିଲେ, ୧୪୦ ଗିଗାୱାଟ୍ ସୌର ଶକ୍ତି ଉତ୍ପାଦନ କ୍ଷମତା ସହିତ ଓଡ଼ିଶାରେ ବ୍ୟାପକ ଅକ୍ଷୟ ଶକ୍ତି ସମ୍ଭାବନା ରହିଛି । ଏହାର ସୁଦୀର୍ଘ ଉପକୂଳ ଏବଂ ବନ୍ଦର ଭିତ୍ତିଭୂମି ଥିବାରୁ ସବୁଜ ହାଇଡ୍ରୋଜେନ୍ ପାଇଁ ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ଓଡ଼ିଶାକୁ ଅକ୍ଷୟ ଶକ୍ତିର ଏକ ପ୍ରମୁଖ କେନ୍ଦ୍ର ଭାବେ ବିକଶିତ କରିବା ଏବଂ ରାଜ୍ୟରେ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନର ପରିସର ଅନୁସନ୍ଧାନ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାରେ ଫ୍ଲୋଟିଂ ସୋଲାର ପ୍ୟାନେଲର ସମ୍ଭାବନା ମଧ୍ୟ ଅନ୍ୱେଷଣ କରାଯିବ ବୋଲି ସେ କହିଛନ୍ତି । ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ସୌର ମଡ୍ୟୁଲ୍, ସୋଲାର ସେଲ୍ ଏବଂ ଇଙ୍ଗୋଟ୍-ୱେଫର ଉତ୍ପାଦନ ପାଇଁ ଗୋଟିଏ ଏଜେନ୍ସି ଦ୍ୱାରା ପ୍ରାୟ ୯,୦୦୦ କୋଟି ଟଙ୍କା ନିବେଶ ସହିତ ୬,୦୦୦ ମେଗାଓ୍ଵାଟ୍ ଉତ୍ପାଦନ କ୍ଷମତା ସ୍ଥାପନ କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ଏକ ଏଜେନ୍ସି ଓଡ଼ିଶାର ଖୋର୍ଦ୍ଧା ଭୁବନେଶ୍ୱରର ଇନଫୋଭାଲି-୨ଠାରେ ସୌର ମଡ୍ୟୁଲ୍ ଏବଂ ସେଲ୍ ଉତ୍ପାଦନ ପାଇଁ ୧୦ ମେଗାଓ୍ଵାଟ୍ ଉତ୍ପାଦନ କ୍ଷମତା ସ୍ଥାପନ କରୁଛି । ନଭେମ୍ବର ୨୦୨୪ ଶେଷ ସୁଦ୍ଧା ୫ ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ସଂଯୋଗ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସୌର ମଡ୍ୟୁଲ୍ ଏବଂ ସେଲର ଘରୋଇ ଉତ୍ପାଦନ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ) ଯୋଜନାକୁ ସମ୍ପ୍ରସାରଣ କରିବାକୁ ପରାମର୍ଶ ଉପରେ ବିଚାର କରାଯାଉଛି । ନିଜର ଅଭିଭାଷଣ ଶେଷରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଆମେ ଏହି ଶିବିରକୁ କେବଳ ଏକ ଦୃଢ଼ ଉଦ୍ଦେଶ୍ୟ ସହିତ ନୁହେଁ ବରଂ ଦୁଇ ଦିନ ପୂର୍ବ ତୁଳନାରେ ଅଧିକ ବିଶୁଦ୍ଧ ଓ ବିସ୍ତୃତ ରୋଡମ୍ୟାପ ସହିତ ଶେଷ କରିଛୁ । ଶିବିରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ‘ପଞ୍ଚାମୃତ’ ଲକ୍ଷ୍ୟ ପୂରଣ କରିବାରେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇଦେବେ । ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସଚିବ ପ୍ରଶାନ୍ତ କୁମାର ସିଂ କହିଥିଲେ, ଚିନ୍ତନ ଶିବିରରେ ଫଳପ୍ରଦ ମତବିନିମୟ ହୋଇଛି । ମନ୍ତ୍ରଣାଳୟ ଏହି କ୍ଷେତ୍ରରେ ବିଭିନ୍ନ ଆହ୍ୱାନର ସମାଧାନ ପାଇଁ ଦୃଢ଼ ଆନ୍ତଃ-ମନ୍ତ୍ରଣାଳୟ ସମନ୍ୱୟ ପାଇଁ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଥିଲେ । ଅତିରିକ୍ତ ସଚିବ ସୁଦୀପ ଜୈନ ଅଧିବେଶନରେ ଯୋଗ ଦେଇଥିବା ସମସ୍ତ ଅଂଶୀଦାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଭୁବନେଶ୍ୱରଠାରେ ଏହି ଦୁଇ ଦିନିଆ ଚିନ୍ତନ ଶିବିର ଶୁଭାରମ୍ଭ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଙ୍କ ଉଦ୍ଘାଟନୀ ଅଭିଭାଷଣରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରିଥିଲେ ଏବଂ ଏହା ଉପରେ ପ୍ରଥମ ଦିନରେ ବିଚାରବିମର୍ଶ କରାଯାଇଥିଲା । ଦୁଇ ଦିନ ଧରି ସୌର ଓ ପବନ ଶକ୍ତି ନିୟୋଜନ, ସବୁଜ ହାଇଡ୍ରୋଜେନ, ଶକ୍ତି ସଂରକ୍ଷଣ, ଭୂମି ପ୍ରସ୍ତୁତି ଓ ପ୍ରସାରଣ ଯୋଜନା ଏବଂ ନୀତି ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ୧୭ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ୨୦୩୦ ସୁଦ୍ଧା ଅଣଜୀବାଶ୍ମ ଉତ୍ସରୁ ୫୦୦ ଗିଗାୱାଟ୍ ଶକ୍ତି ହାସଲର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ନେଇ ଅଧିବେଶନରେ ବିଚାରବିମର୍ଶ କରାଯାଇଥିଲା । ଏହି ଅଧିବେଶନଗୁଡ଼ିକରେ ଭାରତର ଅକ୍ଷୟ ଶକ୍ତି ଯାତ୍ରାର ଅବିଚ୍ଛେଦ୍ୟ ଅଂଶବିଶେଷ ଥିବା ଅଗ୍ରଣୀ ନୀତି ନିର୍ଦ୍ଧାରକ, ଆର୍ଥିକ ଅନୁଷ୍ଠାନ, ଶିଳ୍ପପତି, ସିଇଓ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ ।