jayashree

୩୮ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବର ଚତୁର୍ଥ ରଜନୀ

  • ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବାନ୍ଧି ରଖିଥିଲା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳପଡିଆ ଠାରେ ଚାଲିଥିବା ୩୮ ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଚତୁର୍ଥ ଦିନରେ ପହଂଚିଛି । ମହୋତ୍ସବର ଚତୁର୍ଥ ରଜନୀରେ ପୌରାଣିକ ନାଟ୍ୟବସ୍ତୁ ଆଧାରିତ କଂସକୁ ସ୍ୱପ୍ନାଦେଶ, ଗୋପୀମାନଙ୍କ ଦହିବିକ୍ରି, କଂସ ଚନ୍ତିତ ଓ ମର୍ମାହତ, ଷଣ୍ଢାସୁର ବଧ, କୁବୁଜା ଉଦ୍ଧାର, ସୁଦାମା ମାଳୀ ଉଦ୍ଧାର, ରଜକ ଉଦ୍ଧାର, କୁବଳୟା ବଧ ଆଦି ନାଟ୍ୟାଭିନୟ ରଙ୍ଗମଞ୍ଚରେ ପରିବେଷିତ ହୋଇଥିଲା । ଧନୁଯାତ୍ରା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ କଂସ ଦରବାରକୁ ରାଜକୀୟ ଅତିଥିଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଧାୟକ ଲକ୍ଷ୍ମଣ ବାଗ, ପୂର୍ବତନ ବିଧାୟକ ଆୟୁବ ଖାନ, ହାସ୍ୟ କବି ରସରାଜ ଅଚ୍ୟୁତ ପୁରୋହିତ, ଶଲା ବୁଢା ବଦଲାର ଅଭିନେତ୍ରୀ ଚନ୍ଦନା ସିଂ ଯୋଗ ଦେଇଥିଲେ । କଳା, ସଂସ୍କୃତି, ପରମ୍ପରା,ଐତିହ୍ୟର ସୁରକ୍ଷା, ସଂରକ୍ଷଣ ପାଇଁ ଧନୁଯାତ୍ରା ମହୋତ୍ସବ ମାଧ୍ୟମରେ ପ୍ରୟାସ ପ୍ରଶଂସନୀୟ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ । ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବହୁ ସଂଖ୍ୟାରେ ଦର୍ଶକମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ସେହିପରି ବଙ୍ଗୋମୁଣ୍ଡା ଧନୁଯାତ୍ରାର ଚତୁର୍ଥ ଦିବସରେ ଗୋପପୁର ଗୋହିରାପଦରରେ ବିଭିନ୍ନ ନାଟ୍ୟାଭିନୟ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବିଭିନ୍ନ ସାଂସ୍କୃତିକ ଦଳ ସହ ସୁସଜ୍ଜିତ ରଥରେ କୃଷ୍ଣ ବଳରାମ ଗୋପପୁରରେ ପରିକ୍ରମା କରିଥିଲେ । ପ୍ରତ୍ୟେକ ଘରେ ସ୍ୱାଗତ କରାଯାଇଥିଲା । ପରେ ଗୋପପୁର (ଗୋହିରାପଦର)ରୁ ମଥୁରା ନଗରୀ (ବଙ୍ଗୋମୁଣ୍ଡା) କୁ କୃଷ୍ଣ ବଳରାମଙ୍କ ସହ ଅକ୍ରୃରଙ୍କ ଆଗମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗୋପପୁର ଆୟୋଜକ କମିଟିର ସଭାପତି ବିନୋଦ ମେହେରଙ୍କ ନେତୃତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥିଭାବେ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ପୂର୍ବ ସରପଞ୍ଚ ଉପେନ୍ଦ୍ର ମେହେର, ପୂର୍ବ ସରପଞ୍ଚ ସୁଶାନ୍ତ କୁମାର ଯୋଶୀ, ହରି ମେହେର, ବିନୋଦ ମେହେର, ଦୀନବନ୍ଧୁ ମେହେର, ପିତାମ୍ବର ମେହେର, ଲୋକନାଥ ମେହେର, ତପନ ମେହେର ପ୍ରମୁଖ ଯୋଗ ଦେଇଥିଲେ । ଦିତ୍ୱୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, କିଶୋର ମେହେର, ଭୋଳାନାଥ ମେହେର ପ୍ରମୁଖ ଯୋଗ ଦେଇଥିଲେ । ପରେ ବିରାଟ ପଟୁଆରରେ କୃଷ୍ଣ, ବଳରାମ ମଥୁରାକୁ ପ୍ରବେଶ କରିଥିଲେ । (ଫଟୋ ସହ)

Leave A Reply

Your email address will not be published.