- ୨୨ଟି ରାଜ୍ୟରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀ ସାମିଲ
- ୪୭ଟି ପ୍ରତିଯୋଗିତାରେ ଭାଗ ନେବେ ୧୩୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ
- ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ସମ୍ଭ୍ରାନ୍ତ ସଂସ୍କୃତିର ପ୍ରଦର୍ଶନ
ଭୁବନେଶ୍ୱର : ପ୍ରଥମ ଥର ଓଡ଼ିଶା ଆୟୋଜିତ କରିବାକୁ ଯାଉଛି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ । ନଭେମ୍ବର ୧୨ରୁ ୧୫ ତାରିଖ ଯାଏଁ ଏହି ଜାତୀୟସ୍ତରୀୟ ଉତ୍ସବ ହେବାକୁ ଥିବା ବେଳେ ନ୍ୟାସନାଲ୍ ଏଜୁକେସନ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ (NESTS) ସହାୟତାରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏହି କାର୍ଯ୍ୟାକ୍ରମର ଆୟୋଜନ କରୁଛି । ଏଥିସହ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରାଳୟ ମନ୍ତ୍ରୀ ଜୁଏଲ ଓରାମ୍, ରାଜ୍ୟମନ୍ତ୍ରୀ ଦୁର୍ଗାଦାସ ଉଇକେ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍ଘାଟନୀ ସମାରୋହରେ ସାମିଲ ହେବେ । ତେବେ, ୨୨ଟି ରାଜ୍ୟରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS)ର ୧୩୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ, ୨୫୦ ଶିକ୍ଷକ-ଶିକ୍ଷୟିତ୍ରୀ ଏହି ସମାରୋହରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ପାଳିତ ହେବ । ନୃତ୍ୟ, ସଙ୍ଗୀତ, ଡ୍ରାମା, ଥିଏଟର, ଚିତ୍ରାଙ୍କନ, ଭିଜୁଆଲ୍ ଆର୍ଟ, ବକ୍ତୃତା ଭଳି ୪୭ ପ୍ରକାର ପ୍ରତିଯୋଗିତାର ଆୟୋଜନ କରାଯାଉଛି । ଏହାଫଳରେ ପିଲାମାନେ ପରସ୍ପରର ସଂସ୍କୃତି, ଐତିହ୍ୟ, ଭାଷା, ସାହିତ୍ୟ, ଇତିହାସ ସମ୍ପର୍କରେ ଅବଗତ ହୋଇପାରିବେ । ଅଭିନବ ଏବଂ ସୃଜନଶୀଳ କର୍ମଶାଳାରେ ଯୋଗ ଦେଇ ପିଲାମାନେ ନୂତନ କୌଶଳବିଦ୍ୟା ଶିଖିପାରିବେ । ଏଥିସହିତ ବିଜେତାମାନଙ୍କୁ ପୁରସ୍କୃତ କରାଯିବ ଏବଂ ପ୍ରତ୍ୟେକ ଛାତ୍ରଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଛାତ୍ରମାନଙ୍କୁ ପ୍ରତିଦିନ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ଦିଆଯିବ । ଖାଦ୍ୟର ମେନୁରେ ଭାରତବର୍ଷର ବିଭିନ୍ନ ଖାଦ୍ୟକୁ ଏଠାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଚାରି ଦିନିଆ ଉତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀମାନେ ମିଳିତ ଭାବେ ଭାରତବର୍ଷର ବିଭିନ୍ନ ସଂସ୍କୃତିକୁ ପାଳନ କରିବା ପାଇଁ ସୁଯୋଗ ପାଇବେ ଫଳରେ ସେମାନଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗୀ ମନୋଭାବ ସୃଷ୍ଟି ହୋଇପାରିବ । ସୂଚନାଯୋଗ୍ୟ, ୨୦୧୮ ମସିହାରୁ ଏହି ଉତ୍ସବ ଭାରତର ବିଭିନ୍ନ ରାଜ୍ୟରେ ପାଳନ କରାଯାଉଛି । ପ୍ରଥମେ ଜାମସେଦପୁରରେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ପରେ ପରେ ଉଦୟପୁର (୨୦୧୯), ବେଙ୍ଗାଲୁରୁ(୨୦୨୨), ଡେରାଡୁନ(୨୦୨୩)ରେ ଆୟୋଜିତ କରାଯାଇଥିଲା ।