ରାଉରକେଲା, (ସସ୍ମିତା ପ୍ରଧାନ) : ଅସ୍ଥିର ବାତାବରଣରେ ମନର ଶାନ୍ତି ପାଇଁ ଏକାଗ୍ରତା ଓ ସକାରାତ୍ମକ ଚିନ୍ତନ ଆବଶ୍ୟକ ବୋଲି ଆନ୍ତର୍ଜାତୀକ ପ୍ରବଚକ ସିଷ୍ଟର ଶିବାନୀ କହିଛନ୍ତି । ସ୍ଥାନୀୟ ସେକ୍ଟର – ୨ ଦୁର୍ଗାପୂଜା ପଡିଆ ଠାରେ ଆୟୋଜିତ ବ୍ରହ୍ମକୁମାରୀ ପ୍ରବଚକ ସଭାରେ ଯୋଗଦେଇ ସିଷ୍ଟର ଶିବାନୀ କହିଲେ ଯେ, ଚିନ୍ତନର ବିଧିକୁ ପରିବର୍ତ୍ତନ କରିବାକୁ ହେବ । ଆମକୁ ଧ୍ୟାନର ସହ କାର୍ଯ୍ୟ କରିବାକୁ ହେବ । ପିଲାଙ୍କୁ ଶକ୍ତି ଦେବାକୁ ଘରର ପାରିପାଶ୍ୱିକ ପରିବେଶକୁ ଶୁଦ୍ଧ ଓ ଶକ୍ତିଶାଳୀ କରିବାକୁ ହେବ । ଯେ’ କୌଣସି ପରିସ୍ଥିତିରେ ବିଚଳିତ ନହୋଇ ସ୍ଥିତିକୁ ମୁକାବିଲା କରିବାକୁ ହେବ । ମାନସିକ ଅବସାଦକୁ ଦୂର କରି ମାନସିକ ଓ ଅନ୍ତର୍ନିହିତ ଶକ୍ତି ଓ ପ୍ରତିଷେଧକକୁ ବୃଦ୍ଧି କରିବାକୁ ହେବ । କାହାରି ବ୍ୟବହାର କିମ୍ବା କଟୁବାକ୍ୟକୁ ଆମେ ଗ୍ରହଣ ନକଲେ ହିଁ ଶାନ୍ତିରେ ରହି ପାରିବା । ବରଂ ଆମେ ତାକୁ କ୍ଷମା କରିଦେବା ହିଁ ଆମ ମହାନତା ହେବ । ନିଜେ ନିଜକୁ ଭଲ ପାଇବା ଦ୍ୱାରା ଆମ ଆତ୍ମା ଶାନ୍ତ ହୋଇଥାଏ । ମନର ସ୍ଥିତକୁ ନିଜେ ନିୟନ୍ତ୍ରଣରେ ରଖିବାକୁ ସେ ପରାମର୍ଶ ଦେଇଥିଲେ । ପରମାତ୍ମା ଆମ ସମସ୍ତଙ୍କ ଭାଗ୍ୟ ଭଲ ହିଁ ଲେଖିଥାନ୍ତି । ମାତ୍ର କର୍ମ ଅନୁସାରେ ଆମେ ଭାଗ୍ୟ ଫଳ ଭୋଗିଥାଉଁ । କହିବା ଅନୁସାରେ ନୁହଁ, କର୍ମ ଅନୁସାରେ ଭାଗ୍ୟ ହୋଇଥାଏ । ଏଣୁ ଆମକୁ ସତକର୍ମ ଓ ସତଚିନ୍ତନ କରିବାକୁ ହେବ, ତେବେ ଯାଇ ଆମେ ଶାନ୍ତି ପାଇପାରିବା ବୋଲି ବି. କେ. ଶିବାନୀ କହିଥିଲେ । ଆଧ୍ୟାତ୍ମିକତା ଆମକୁ ଭବିଷ୍ୟତ ବିଷୟରେ ସୂଚିତ କରିଥାଏ, ଏଣୁ ଆମକୁ ଦୃଢ଼ତା ଓ ପ୍ରସନ୍ନତାର ସହ କର୍ତ୍ତବ୍ୟ କରିବା ଆବଶ୍ୟକ । ତେବେଯାଇ ଆମ ଆତ୍ମା ସୁଦ୍ଧ ଓ ପବିତ୍ର ହୋଇପାରିବ । ପରିବାରକୁ ସଶକ୍ତ କରିବାକୁ ହେବ, ମୋହକୁ ଛାଡି ପରସ୍ପର ପ୍ରତି ପ୍ରେମ ଭାବ ରହିବା ଆବଶ୍ୟକ । ପ୍ରତି ଘରେ ଶକ୍ତି ସ୍ତମ୍ଭ ରିହିବା ଆବଶ୍ୟକ । ଆମେ ଯାହା ଦେଖୁ, ଶୁଣୁ, ପଢୁ, ଖାଉ ଓ ପିଉ ତାହା ଆମ ଚିନ୍ତନକୁ ପ୍ରଭାବିତ କରିଥାଏ । ଗଭୀର ନିଦ୍ରା ଗଲେ ଶରୀର ଥକ୍କା ହେବ ନାହିଁ କିମ୍ବା ଅବସାଦ ରହିବ ନାହିଁ । ରାତ୍ରରେ ଭୋଜନର ୨ ଘଣ୍ଟା ପରେ ସକାରାତ୍ମକ ଚିନ୍ତା କରି ଶୋଇବାକୁ ସେ ପରାମର୍ଶ ଦେଇଥିଲେ । ପ୍ରତିଦିନ ୧୦ଟି ଶୁଦ୍ଧ ଚିନ୍ତନ ଓ କାର୍ଯ୍ୟ କରିବା ଦ୍ୱାରା ଜଟିଳ ସ୍ଥିତିକୁ ମୁକାବିଲା କରାଯାଇ ପାରିବ ବୋଲି ସିଷ୍ଟର ଶିବାନୀ କହିଥିଲେ । ସ୍ଥାନୀୟ ବାସନ୍ତୀ କଲୋନୀ ବ୍ରହ୍ମକୁମାରୀ କେନ୍ଦ୍ରର ନିର୍ଦ୍ଦେଶିକା ବିମଳା ଦିଦିଙ୍କ ତତ୍ତ୍ୱାବଧାନ ଓ ଅନ୍ୟ କେନ୍ଦ୍ର ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପର୍ଣ୍ଣ ହୋଇଥିଲା । ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ତଥା ଜନସାଧାରଣ ଉପସ୍ଥିତ ଥିଲେ । ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଆର୍.ଏସ୍.ପି.ର ଇ.ଡି ତରୁଣ ମିଶ୍ର, ଇଡିଏକେ ବେହୁରିଆ,ଏନ୍.ଆଇ.ଟିର ନିର୍ଦ୍ଦେଶକ ପି. କେ. ଉମା ମହେଶ୍ୱର ରାଓ, ବିପିୟୁଟି କୁଳପତି ଅମୀୟ କୁମାର ରଥ, ସିଆଇଏସ୍ଏଫର ବରିଷ୍ଠ କମାଣ୍ଡାଣ୍ଟ ଅଶୋକ ଜାଲୱନିଆ, ଶୁଭ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଅନ୍ୟ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।