କଣାସ, (କେପିଏନ୍ଏସ୍) : ଚଳିତ ବର୍ଷର ମର୍ଯ୍ୟାଦାଜନକ ପ୍ରକୃତି ମିତ୍ର ପୁରସ୍କାର କଣାସ ବ୍ଲକ ପାଇଁ କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରଦାନ କରାଯାଇଛି । ପୁରୀ ବନଖଣ୍ଡ ଅଧୀନସ୍ଥ ନେଚର ପାର୍କଠାରେ ଆୟୋଜିତ ସାମୁଦ୍ରିକ କଇଁଛ ସୁରକ୍ଷା ସମ୍ବନ୍ଧୀୟ କର୍ମଶାଳାରେ ଡି.ଏଫ.ଓ. ବିବେକ କୁମାରଙ୍କଠାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ ଗ୍ରହଣ କରିଛନ୍ତି । ଏଠାରେ ସହକାରୀ ବନ ସଂରକ୍ଷକ ଉତ୍ତମ କୁମାର ଗଡନାୟକଙ୍କ ସମେତ ଜିଲ୍ଲାର ୭୦ରୁ ଅଧିକ ବନ କର୍ମଚାରୀ ଉପସ୍ଥିତ ଥିଲେ । ଗଛ ଲଗାଇବା, ସାମାଜିକ ସୁରକ୍ଷା, ପକ୍ଷୀ ସୁରକ୍ଷା, ସଂସ୍କୃତି ପ୍ରତି ସଚେତନତା, ଶକ୍ତି ସଂରକ୍ଷଣ, ପରିବେଶ ସୁରକ୍ଷା, ମାନବୀୟ ମୂଲ୍ୟବୋଧର ବିକାଶ ଆଦି କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ବର୍ଷ ମଧ୍ୟ ଏହି ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ହୋଇଥିଲା । ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କ ଅଭିନବ ଉଦ୍ୟମ ଓ ସହକାରୀ ଶିକ୍ଷକ ଶିକ୍ଷିକାଙ୍କ ସହଯୋଗ ଏବଂ ପିଲାମାନଙ୍କର ସହଭାଗିତା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ପୁରସ୍କାର ଖବର ପାଇ ଜନସାଧାରଣ ଆନନ୍ଦିତ ହେବା ବେଳେ ଅନେକ ଶିକ୍ଷକ ଓ ଶିକ୍ଷା ଅଧିକାରୀ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ପ୍ରକୃତି ବନ୍ଧୁ ପୁରସ୍କାର କଣାସ ବ୍ଲକ ପାଇଁ ମହେଶ୍ୱର ପରିଡା ପାଇଛନ୍ତି । ଚଳିତ ବର୍ଷ ପୁରୀ ଜିଲ୍ଲାର ୬ଟି ଅନୁଷ୍ଠାନକୁ ପ୍ରକୃତି ମିତ୍ର ପୁରସ୍କାର ମିଳିଥିବା ବେଳେ ୪ ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ମିଳିଛି ।