ସମାଜର ଗଠନ ଏବଂ ନାଗରିକଙ୍କ ଜୀବନକୁ ପ୍ରଭାବିତ କରିବାରେ ‘ଲୋକ ନୀତି’ର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଓମ୍ ବିର୍ଲା

ଭୁବନେଶ୍ୱର, (ପିଆଇବି) : ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଭୁବନେଶ୍ୱରର କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ବିଶ୍ୱବିଦ୍ୟାଳୟ ଠାରେ ‘କିଟ୍ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି’କୁ ଉଦ୍‌ଘାଟନ କରିଛନ୍ତି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏପରି ଏକ ଶିକ୍ଷାନୁଷ୍ଠାନ ଖୋଲିଥିବାରୁ ସେ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ବିର୍ଲା କହିଛନ୍ତି, ଯେକୌଣସି ସମାଜର ଗଠନ ଏବଂ ନାଗରିକଙ୍କ ଜୀବନକୁ ପ୍ରଭାବିତ କରିବାରେ ‘ଲୋକ ନୀତି’ ବା ପବ୍ଲିକ୍ ପଲିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମାଜର ଅଧିକାଂଶ ନାଗରିକ ନୀତି ନିର୍ଦ୍ଧାରଣରେ ଯୋଗଦାନ କରିବା ଉଚିତ୍ ବୋଲି ସେ ମତପ୍ରକାଶ କରିଛନ୍ତି । ଜନପ୍ରତିନିଧି ଓ ଜନସାଧାରଣଙ୍କ ମଧ୍ୟରେ ଆଲୋଚନାର ସେତୁ ସକ୍ରିୟ ଓ ଜୀବନ୍ତ ହେବା ଦରକାର, ଯାହାଦ୍ୱାରା ଲୋକାଭିମୁଖୀ ଆଇନ ଓ ନୀତି ପ୍ରଣୟନ ହୋଇପାରିବ ବୋଲି ବାଚସ୍ପତି କହିଛନ୍ତି । ଶ୍ରୀ ବିର୍ଲା ଆହୁରି କହିଛନ୍ତି, ଆଜିର ସମୟରେ ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି)ର ବ୍ୟବହାର ଲୋକ ନୀତି ନିର୍ଦ୍ଧାରଣରେ ସାଧାରଣ ଜନତାଙ୍କ ଅଂଶଗ୍ରହଣ ବୃଦ୍ଧି କରିପାରିଛି । ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ଲୋକଙ୍କ ନୀତି ପ୍ରଣୟନରେ ସକ୍ରିୟ ଅଂଶଗ୍ରହଣ ସହିତ ନୀତି ନିର୍ଦ୍ଧାରଣ ପାଇଁ ନିଜର ମତାମତ ଦେବା ଉଚିତ୍‌ । ଯାହା ଫଳରେ ପ୍ରସ୍ତୁତ ନୀତି ଏବଂ ଆଇନ ଅଧିକ ପ୍ରାସଙ୍ଗିକ ଏବଂ ସ୍ୱଚ୍ଛ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏଥିପୂର୍ବରୁ ବାଚସ୍ପତି ଶ୍ରୀ ବିର୍ଲା କିସ୍ ପରିସରରେ ଜନଜାତି ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିଥଲେ ଏବଂ ସେମାନଙ୍କୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.