ଝାରସୁଗୁଡ଼ା ଜିଲ୍ଲାରେ ବେଦାନ୍ତର ବେଆଇନ୍‌ ଫ୍ଲାଏ ଆସ୍ ଡମ୍ପିଂ ମାମଲା : କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ପ୍ରଦୀପ ପୁରୋହିତ

ନୂଆଦିଲ୍ଲୀ : ଝାରସୁଗୁଡ଼ାରେ ପ୍ରତିଷ୍ଠିତ ବେଦାନ୍ତ କମ୍ପାନୀର ପାୱାର୍ ପ୍ଲାଣ୍ଟରୁ ନିର୍ଗତ ଫ୍ଳାଏ ଆସ୍ ଜିଲ୍ଲା ପାଇଁ ବିପଦ ସୃଷ୍ଟି କରିଛି । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ, ଏନେଇ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏହି ମର୍ମରେ ସେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦର୍ ଯାଦବଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି ଯେ, ପାୱାର୍ ପ୍ଲାଣ୍ଟରୁ ନିର୍ଗତ ଫ୍ଳାଏ ଆସକୁ କମ୍ପାନୀ କର୍ତ୍ତୃପକ୍ଷ ବେଆଇନ ଭାବେ ବିଭିନ୍ନ ସ୍ଥାନରେ ଗଦା କରିରଖୁଥିବାରୁ ଏହା ସ୍ଥାନୀୟ ଅଂଚଳ ପାଇଁ ବିପଦ ସୃଷ୍ଟି କରିଛି । ଏନେଇ ଗଣମାଧ୍ୟମରେ ଲଗାତର ଖବର ପ୍ରସାରିତ ହେଉଥିବା ସେ ପତ୍ରରେ ଦର୍ଶାଇଛନ୍ତି । ସାଂସଦ ପ୍ରଦୀପ ପୁରୋହିତ ଉଲ୍ଲେଖ କରିଛନ୍ତି ଯେ, ଅମାପାଲି ଓ ଲଖନପୁର ବ୍ଲକ ସମେତ ଅନ୍ୟ ଅଂଚଳର ପ୍ରାୟ ୧୯ ଖଣ୍ଡ ଗାଁରେ ବେଦାନ୍ତ ପାୱାର୍ ପ୍ଲାଣ୍ଟରୁ ନିର୍ଗତ ଫ୍ଲାଏ ଆସକୁ କମ୍ପାନୀ କର୍ତ୍ତୃପକ୍ଷ ଗଦା କରି ରଖୁଛନ୍ତି । ଉଦ୍‌ବେଗର ବିଷୟ ହେଲା ଝାରସୁଗୁଡ଼ା ଜିଲ୍ଲାର ଲାଇଫଲାଇନ୍ କୁହାଯାଉଥିବା ଇବ୍ ଓ ଭେଡେନ୍ ନଦୀ କୂଳରେ ମଧ୍ୟଯ ବିଷାକ୍ତ ଫ୍ଲାଏ ଆସ୍ ଗଦା କରାଯାଉଛି । କେବଳ ଏତିକି ନୁହେଁ, ବ୍ରଜରାଜନଗରର ପ୍ରସିଦ୍ଧ ରାମଚଣ୍ଡୀ ମନ୍ଦିର ନିକଟସ୍ଥ ପ୍ରାଚୀନ ଗୁମ୍ଫା ପାଖରେ ମଧ୍ୟ ଫ୍ଲାଏ ଆସ୍ ଗଦା କରାଯାଉଛି । ଏହା ଉଭୟ ଭେଡେନ୍ ଓ ଇବ୍ ନଦୀର ପାଣିକୁ ବିଷାକ୍ତ କରିବା ସହ ଆଖପାଖ ଜଙ୍ଗଲ ଓ ମୃତ୍ତିକା ତଥା ଭୂତଳ ଜଳ ପ୍ରତି ବିପଦର କାରଣ ପାଲଟିଛି । ନଦୀର ଜଳ ଉପରେ ବିଷାକ୍ତ ପାଉଁଶ ଆବରଣ ସୃଷ୍ଟି ହୋଇଥିବାରୁ ଏହା ଜଳଜୀବଙ୍କ ପାଇଁ ବିନାଶର କାରଣ ହେବା ସହ ଲୋକଙ୍କ ସ୍ୱାସ୍ଥ୍ୟହାନିର କାରଣ ପାଲଟିଛି । ଏପରିକି କମ୍ପାନୀ କର୍ତ୍ତୃପକ୍ଷ ରାସ୍ତା କଡ଼ରେ ପାଉଁଶ ଗଦା କରୁଥିବାରୁ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଛି । ଏନେଇ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଥିଲେ ମଧ୍ୟ ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷ ଖାତିର୍ କରୁନଥିବା ସାଂଦ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଭଳି ସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲାର ଜନଜୀବନର ସୁରକ୍ଷା ପାଇଁ ବେଦାନ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରଗଡ଼ ସାଂସଦ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଦାବି ଜଣାଇଛନ୍ତି ।

Leave A Reply

Your email address will not be published.