ଶାରଦୀୟ ନବରାତ୍ରି ପୂଜା ଅବସରରେ ଛତ୍ରପୁରରେ ପ୍ରଚଳିତ କୁଙ୍କୁମ୍ ପୂଜା ଏକ ନିଆରା ପରମ୍ପରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶାରଦୀୟ ନବରାତ୍ରି ଦୁର୍ଗାପୂଜା ଅବସରରେ କେଉଁଠି ନା କେଉଁଠି, ଏକ ଭିନ୍ନ ଧରଣର ଭିନ୍ନ ମତରେ ପରମ୍ପରା କ୍ରମେ ପୂଜା ସମ୍ଭାର ପ୍ରଚଳିତ ହେଉଥିବା ଦେଖିବାକୁ ମିଳେ । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଛତ୍ରପୁର ସହରରେ ଉଭୟ ତେଲୁଗୁ ଓ ଓଡ଼ିଆ ଭାଷା ଭାଷୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ଏଠାକାର ପ୍ରଚଳିତ ଆନ୍ଧ୍ର ସଂସ୍କୃତି ପ୍ରଚଳିତ ଥିବା ଦୃଶ୍ୟମାନ ହୁଏ । ଏଠାକାର ପରମ୍ପରା ବୈଦିକ ରୀତି ନୀତି ଓ ଦେବୀ ପୂଜା ଅବା ଶାକ୍ତଧର୍ମର ପରମ୍ପରା ଏକ ଭିନ୍ନ ଓ ନିଆରା ଅଟେ । ସଂପ୍ରତି ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ଶକ୍ତି ସ୍ୱରୁପିଣୀ ମା’ ରାମାୟଣାମ୍ମା ଠାକୁରାଣୀଙ୍କ ଠାରେ ନବରାତ୍ରି ପୂଜା ପାର୍ବଣ ସମ୍ଭାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଆସିଛି । ସୁନ୍ଦର ଆଲୋକମାଳା ଏବଂ ବେଦମନ୍ତ୍ର ପାଠରେ ଦୈନିକ ସ୍ଥାନଟି ମୁଖରୀତ ହୋଇ ଉଠିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଠାରେ କୁଙ୍କୁମ୍ ପୂଜା ସମ୍ଭାର ପ୍ରଚଳିତ ହୋଇଆସିଛି । ଏହା ପ୍ରାୟତଃ ତେଲୁଗୁ ସମ୍ପ୍ରଦାୟର ସଧବା ମହିଳାମାନେ ନିଜ ସ୍ୱାମୀଙ୍କର ଦୀର୍ଘାୟୁ ଜୀବନ ଏବଂ ଘରେ ଧନଧାନ୍ୟ, ଐଶ୍ୱର୍ଯ୍ୟ ସମ୍ପନ୍ନ ପ୍ରାପ୍ତି ନିମନ୍ତେ ଗୃହିଣୀମାନେ ଏହାକୁ ବ୍ରତ ସ୍ୱରୂପ ପାଳନ କରିଥାନ୍ତି । ମାଁମାନେ ନିଜ ନିଜ ପୂଜା ସାମଗ୍ରୀ ସହ ହଳଦୀ କୁଙ୍କୁମ୍, ଦେଶୀ ପାନପତ୍ର, ଗୋଟା ଗୁଆ ଆଦିରେ ପୂଜା ସମ୍ପାଦନା କରିଥାନ୍ତି । ମା’ ରାମାୟଣାମ୍ମା ଦେବୀଙ୍କ ପରିସରରେ ଥିବା ସୌଭାଗ୍ୟ କଲ୍ୟାଣ ମଣ୍ଡପରେ ଏହି କୁଙ୍କୁମ୍ ପୂଜା ଆୟୋଜିତ ହୋଇଥିଲା । ଗତ ଗୁରୁବାର ପବିତ୍ର ମହାଷ୍ଟମୀ ତିଥିରେ ୧୮୫ ଜଣ ସଧବା ନାରୀ ଏହି ପୂଜାରେ କର୍ତ୍ତା ଭାବେ ବସିଥିଲେ । ମହିଳାମାନେ ନିଜ ନିଜର ପୂଜା ବିଧାନରେ ବସି ପୂଜା ସମ୍ଭାରରେ ଅଂଶଗ୍ରହଣ କରିଥିଲେ । ପ୍ରତିଷ୍ଠିତ ପୁରୋହିତ ପଣ୍ଡିତ ଜାଲେପାଲ୍ଲୀ ହରି ଗୋପାଳ ଶାସ୍ତ୍ରୀ ଜୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପୂଜା କାର୍ଯ୍ୟ ସୁରୁଖୁରେ ସମ୍ପନ୍ନ କରିଥିଲେ । ମନ୍ଦିର କମିଟି ତରଫରୁ ପରିଚାଳିତ ହୋଇଆସୁଥିବାବେଳେ ପୂଜା କମିଟିର ସମ୍ପାଦକ ବି. ଶ୍ରୀନିବାସ ଏହି ସମ୍ଭାରର ସଂଯୋଜନା ଓ ପରିଚଳନା କରିଥିଲେ ।

Leave A Reply

Your email address will not be published.