
କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅନ୍ତର୍ଗତ ଡାବୁଗୁଡ଼ା ଗ୍ରାମ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ଭୟଙ୍କର ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ବାର୍ଲିପଡ଼ା ଗ୍ରାମର ଧନେଶ୍ୱର ମାଣ୍ଡିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଧନେଶ୍ୱର କୋରାପୁଟ ବିଧାୟକଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଡାବୁଗୁଡ଼ା ନିକଟସ୍ଥ ରାସ୍ତାରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ଧନେଶ୍ୱର ମାଣ୍ଡିଙ୍କ ଜୀବନ ଚାଲିଯାଇଥିଲା । ଅନ୍ୟପଟେ ଡାବୁଗୁଡ଼ା ଗ୍ରାମର ମଙ୍ଗୁ ମାଲିକ ଓ ତାଙ୍କ ପୁତୁରା ସମରା ମାଲିକ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଲମତାପୁଟ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତକ ଓ ଆହତମାନଙ୍କୁ ଉଦ୍ଧାର କରି ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ମଙ୍ଗୁ ଓ ସମରାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାଗ୍ରସ୍ତ ଦୁଇଟି ବାଇକ୍କୁ ଜବତ କରିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।