କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶରେ ୫୦୦ କିଲୋମିଟର ନୂତନ ପକ୍କା ରାସ୍ତାର ଶିଳାନ୍ୟାସ କରିବା ସହିତ ଅନେକ ଯୋଜନାର ଶୁଭାରମ୍ଭ

  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆବାସ ସଖୀ ମୋବାଇଲ ଆପ୍ ଏବଂ ଗ୍ରାମ ସଡ଼କ ସର୍ବେକ୍ଷଣ ଏବଂ ଯୋଜନା ଉପକରଣର ଶୁଭାରମ୍ଭ କରିଛନ୍ତି ଶିବରାଜ ସିଂ ଚୌହାନ
  • ସାରା ଦେଶରେ ଆରମ୍ଭ ହେଉଛି କଚ୍ଚା ଘରର ସର୍ଭେ, ପକ୍କା ଘର ତାଲିକାରେ ବାଦ୍ ପଡ଼ିଥିବା ନାମକୁ ସାମିଲ କରାଯିବ, ୬ ମାସ ମଧ୍ୟରେ ସର୍ଭେ ଶେଷ ହେବ : ଶ୍ରୀ ଚୌହାନ
  • ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ହେବାକୁ ଯାଉଛି, ମୋ ପାଇଁ ଲୋକଙ୍କ ସେବା କରିବା ଭଗବାନଙ୍କୁ ପୂଜା କରିବା ପରି : ଶ୍ରୀ ଚୌହାନ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶର ଭୈରୁଣ୍ଡାଠାରେ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟର ଗ୍ରାମୀଣ ଆତ୍ମନିଯୁକ୍ତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆବାସ ସଖୀ ମୋବାଇଲ୍ ଆପ୍ ଉନ୍ମୋଚନ କରିବା ସହ ୧୮ଟି ରାଜ୍ୟରେ ୧୦୦ଟି ଗୋଷ୍ଠୀ ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ର- ସିଏମ୍‌ଟିସିର ଉଦ୍‌ଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ୫୦୦ କିଲୋମିଟର ନୂତନ ପକ୍କା ରାସ୍ତାର ଶିଳାନ୍ୟାସ କରିବା ସହ ଗ୍ରାମ ସଡ଼କ ସର୍ବେକ୍ଷଣ ଓ ଯୋଜନା ଉପକରଣର ଶୁଭାରମ୍ଭ କରିଥିଲେ । ସେହିପରି ମଧ୍ୟପ୍ରଦେଶରେ ୫ଟି ନୂଆ ଆର୍‌ଏସ୍‌ଇଟିଆଇ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି । ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ କମଲେଶ ପାସୱାନ, ମଧ୍ୟପ୍ରଦେଶର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରହ୍ଲାଦ ପଟେଲ, ଗ୍ରାମ୍ୟ ଉନ୍ନୟନ ସଚିବ ଶୈଳେଶ କୁମାର ଏବଂ ମନ୍ତ୍ରଣାଳୟ ତଥା ରାଜ୍ୟ ସରକାରଙ୍କ ଅନେକ ଅଧିକାରୀ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ଆଜିଠାରୁ ସାରା ଦେଶରେ କଚ୍ଚା ଘରର ସର୍ଭେ ଆରମ୍ଭ ହେଉଛି ଏବଂ ୨୦୧୮ର ପକ୍କା ଘର ତାଲିକାରେ ବାଦ୍ ପଡ଼ିଥିବା ଲୋକଙ୍କ ନାମ ଏବେ ଅନ୍ତର୍ଭୁକ୍ତ କରାଯିବ । କୌଣସି ଭଉଣୀ କିମ୍ବା ଭାଇ ଯେପରି ବାଦ୍ ନପଡ଼ିବେ ସେଥିପାଇଁ ୬ ମାସ ମଧ୍ୟରେ ଏହି ସର୍ଭେ ଶେଷ ହେବ । ଫୋନ୍, ମୋଟରସାଇକେଲ୍ କିମ୍ବା ସ୍କୁଟର ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କ ନାମ ଯୋଡ଼ାଯିବ ବୋଲି ସେ କହିଛନ୍ତି । ଲାଡଲି ବେହନାଙ୍କ ସହ ଲଖପତି ଦିଦି ତିଆରି ଅଭିଯାନ ମଧ୍ୟ ସାରା ଦେଶରେ ଚାଲିବ । ଲଖପତି ଦିଦି ଅର୍ଥାତ୍ ପ୍ରତି ଦିଦିଙ୍କ ମାସିକ ଆୟ ୧୦ ହଜାର ଟଙ୍କାରୁ ଅଧିକ ହେବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ପୂର୍ବରୁ କେବଳ ୧୦ ହଜାର ଟଙ୍କା ରୋଜଗାର କରୁଥିବା ଲୋକ ଆବାସ ଯୋଜନା ପାଇଁ ଯୋଗ୍ୟ ଥିବା ବେଳେ ଏବେ ମାସିକ ଆୟ ୧୫ ହଜାର ଟଙ୍କା ହେଲେ ମଧ୍ୟ ଆବାସ ଯୋଜନାରେ ନାମ ଯୋଡ଼ାଯିବ । ଲଖପତି ଦିଦି କାର୍ଯ୍ୟକ୍ରମ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୨.୫ ଏକର ପର୍ଯ୍ୟନ୍ତ ଜଳସେଚିତ ଜମି ଏବଂ ୫ ଏକର ପର୍ଯ୍ୟନ୍ତ ଅଣଜଳସେଚିତ ଜମି ଥିବା ଚାଷୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ଅଟନ୍ତି । କୃଷକଙ୍କୁ ସମର୍ଥନ କରିବା ପାଇଁ କ୍ୟାବିନେଟ ପ୍ରତିଦିନ ନିଷ୍ପତ୍ତି ନେଉଛି । ବିଦେଶୀ ତୈଳ ଆମଦାନୀ ଯୋଗୁଁ ହ୍ରାସ ପାଉଥିବା ସୋୟାବିନ ଦରକୁ ପ୍ରତିହତ କରିବା ପାଇଁ ଭାରତ ସରକାର ଘରୋଇ ସୋୟାବିନ ଦର ବୃଦ୍ଧି ଲକ୍ଷ୍ୟରେ ଆମଦାନୀ ତେଲ ଉପରେ ୨୭.୫ ପ୍ରତିଶତ ଟିକସ ଲାଗୁ କରିବେ । କେନ୍ଦ୍ର ସରକାର ମଧ୍ୟପ୍ରଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟରେ ସୋୟାବିନ୍ କିଣିବାକୁ ମଞ୍ଜୁରୀ ଦେଇଛନ୍ତି ଏବଂ ପଞ୍ଜୀକରଣ ଖୋଲା ରହିଛି । ମଧ୍ୟପ୍ରଦେଶ ପୁରା ମୁଗ କିଣି ସାରିଛି । ଏହାବ୍ୟତୀତ ବାସମତୀ ଚାଉଳର ସର୍ବନିମ୍ନ ରପ୍ତାନି ହାରକୁ ଉଚ୍ଛେଦ କରାଯାଇଛି, ଯାହା ବିଦେଶୀ ରପ୍ତାନି ଏବଂ ସମ୍ଭାବ୍ୟ ମୂଲ୍ୟ ବୃଦ୍ଧିକୁ ଅନୁମତି ଦେଇଛି । ଶ୍ରୀ ଚୌହାନ କହିଛନ୍ତି ଯେ, ଆମ ସରକାର କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟରେ ଡାଲି, ବିରି ଏବଂ ହରଡ଼ କିଣିବା, ୧୦୯ ଟି ନୂତନ ବିହନ ପ୍ରଜାତି ଆରମ୍ଭ କରିବା ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ହେବାକୁ ଯାଉଛି । ମୋ ପାଇଁ ଆପଣମାନଙ୍କର ସେବା କରିବା ଭଗବାନଙ୍କ ଉପାସନା ସହିତ ସମାନ । ଏହି କ୍ଷେତ୍ରରେ ସିହୋର ଜିଲ୍ଲା ମଧ୍ୟ ପଛରେ ପଡ଼ିବ ନାହିଁ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅର୍ଥ ସହାୟତା ପ୍ରଦାନ କରିବେ । ସେ କହିଛନ୍ତି ଯେ, ମଧ୍ୟପ୍ରଦେଶରେ ଗରିବଙ୍କୁ ୩ ଲକ୍ଷ ୬୮ ହଜାର ଘର ଦିଆଯାଇଛି ଯାହା ରାଜ୍ୟ ସରକାର ଦେବେ । ଆପଣମାନଙ୍କର ସେବା ହିଁ ମୋ ଜୀବନର ଲକ୍ଷ୍ୟ । କେନ୍ଦ୍ର ସରକାର ମଧ୍ୟପ୍ରଦେଶ ପାଇଁ କୌଣସି ସୁଯୋଗ ଛାଡ଼ିବେ ନାହିଁ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗରିବଙ୍କ ସେବା ଜାରି ରହିବ ଏବଂ କୃଷିର ମଧ୍ୟ ପ୍ରଗତି ଜାରି ରହିବ । ଆମେ ଆପଣଙ୍କ ଆୟକୁ ଦ୍ୱିଗୁଣିତ କରିବୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଧିକ ସିଏମ୍ ରାଜ୍ୟ ବିଦ୍ୟାଳୟ ଖୋଲାଯିବ । ଶ୍ରୀ ଚୌହାନ କେନ୍ଦୁପତ୍ରରେ ବୋନସ୍ ଦେଇଥିବାରୁ ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.