ଶବର ସମାଜ ଭବନ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ ମରୁଆଁ ପଞ୍ଚାୟତର ଗଞ୍ଜାଉଡାର ଗାଁ ଠାରେ ଶବର ସମାଜ ଭବନ ନିର୍ମାଣ ସକାଶେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ କରକମଳରେ ଭୂମିପୂଜନ ହୋଇଥିଲା । ରାଜ୍ୟସଭା ସାଂସଦଙ୍କ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠିରୁ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦିଆଯାଇଛି । ଶବର ସମାଜ ଭବନ ଭୂମିପୂଜନ ପୂର୍ବରୁ ଗଞ୍ଜାଉଡାର ଗାଁରେ ଶବର ସମାଜର ସାଂସ୍କୃତିକ ଦଳ ଗୁଡିକ ନୃତ୍ୟ ଗୀତ ସହିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବିରାଟ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ସଭାସ୍ଥଳକୁ ସାଂସଦ ଶ୍ରୀ ବିଶିଙ୍କୁ ପାଛୋଟି ଆଣିଥିଲେ । ପ୍ରସ୍ତାବିତ ଭୂମି ପୂଜନ ପରେ ଶବର ସମାଜର ଉପଖଣ୍ଡ ସଭାପତି ଚନ୍ଦ୍ରମଣି ଶବରଙ୍କ ସଭାପତିତ୍ୱରେ ସଭା କରାଯାଇଥିଲା । ଓଡିଶା ରାଜ୍ୟରେ ୬୪ଟି ଆଦିବାସୀ ସମ୍ପ୍ରଦାୟ ଥିବାବେଳେ ଶବର, ସହରା, ସଉରା, ସଅର, ଜାରା ଶବର, ବେଶୁ ସଓରା, ଭିମା ସଓରା, ଲରିଆ ସଓରା, ସୁଦ୍ଧ ସଓରା, କଳାପୀଠିଆ ସଓରା, ଲାଞ୍ଜିଆ ସଉରା, ଯତି ସଉରା, ଟଙ୍କଳା ସଉରା ଅନ୍ୟତମ । ଓଡିଶାରେ ମୋଟ୍‌ ଜନସଂଖ୍ୟାର ୨୩ ପ୍ରତିଶତ ଜନସଂଖ୍ୟା ହେଉଛନ୍ତି ଆଦିବାସୀ । ଓଡିଶାରେ ଶବର ସହରା, ସଅର, ସଉରା ଆଦିବାସୀଙ୍କ ଜନସଂଖ୍ୟା ୧୭ ଲକ୍ଷରୁ ଅଧିକ । ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ଓଡିଶାରେ ଶବର ସଂସ୍କୃତି, ଭାଷା, କଳା, ସ୍ଥାପତ୍ୟ, ଐତିହ୍ୟ ସର୍ବ ପ୍ରାଚୀନ । ଶବର ସଂସ୍କୃତିର ସୁରକ୍ଷା, ସଂରକ୍ଷଣ, ପୁନଃଉଦ୍ଧାର ଆବଶ୍ୟକ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ । ଶବର ରାଜା ବିଶ୍ୱବଶୁଙ୍କ ନୀଳମାଧବ ସଂସ୍କୃତି, ନୀଳମାଧବ ସଂସ୍କୃତିରୁ ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ୱବିଦିତ ଥିବା ବେଳେ ରାମାୟଣ ବର୍ଣ୍ଣିତ ତ୍ରେତୟା ଯୁଗର ଶ୍ରୀରାମ ଏବଂ ଶ୍ରାବଣା ଶବରୀଙ୍କ ଶବରୀ ନାରାୟଣ ସଂସ୍କୃତି ଖ୍ୟାତି ସୃଷ୍ଟି କରିଛି । ମଞ୍ଚରେ ସମ୍ପାଦକ ସାରଥୀ ବାଗ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.