ସରକାରୀ ଶୋଷଣର ବିଶେଷ ନମୁନା ସ୍ମାର୍ଟ ମିଟର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ଟାଉନ୍‌ ଉଚ୍ଚବାଳିକା ବିଦ୍ୟାଳୟ ଠାରେ ସଭାପତି ଡ. ଶ୍ରୀକର ମିଶ୍ର ଓ ଉପ-ସଭାପତି ନିତ୍ୟାନନ୍ଦ ମିଶ୍ରଙ୍କ ଦୈତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକରେ ସାଧାରଣ ସଂପାଦକ ମଧୁସୁଦନ ନାୟକ ଗତ ଅଧିବେଶନର ବିବରଣୀ ପାଠ କରିଥିଲେ । ସଭାରେ ଟାଟା ପାୱାରର ସ୍ମାର୍ଟ ମିଟର ଲଗାଣ ଉପରେ ସରଗରମ ଆଲୋଚନା ହୋଇଥିଲା । ଆମ ଓଡିଶା ଭଳି ଏକ ଅନୁନ୍ନତ ରାଜ୍ୟରେ ଯେଉଁଠି ମଧ୍ୟବିତ୍ତ ପରିବାର, ନିମ୍ନ ମଧ୍ୟବିତ୍ତ ପରିବାର ଓ ଗରିବ ଶ୍ରେଣୀର ନାଗରିକଙ୍କ ସଂଖ୍ୟା ଅଧିକ ସେଠାରେ ବିଜୁଳି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ସରକାର ସୁଚିନ୍ତତ ଉପାୟରେ ଶୋଷଣ କରୁଛନ୍ତି । ସ୍ମାର୍ଟ ମିଟରର ଘୋଡାଦୌଡ ଜଣେ ବ୍ୟକ୍ତିର ଆୟର ଅଧାରୁ ଅଧିକ ଲୁଣ୍ଠନ କରିନେବ । ଗୋଟିଏ ଗଣତନ୍ତ୍ର ରାଷ୍ଟ୍ରରେ ଜନସାଧାରଣ ଚାହୁଁନଥିବା ଜିନିଷକୁ ଅଗଣତନ୍ତ୍ରିକ ଭାବରେ ଜୋର ଜବରଦସ୍ତି ଲଦି ଦେଇ ଶୋଷଣ କରିବା ବ୍ରିଟିସ୍‌ ଶୋଷଣ ଠାରୁ ବି ବଳିଯାଉଛି ବୋଲି ସଭାରେ ମତପ୍ରକାଶ ପାଇଥିଲା । ବିଜେଡି ସରକାର ହାରିବା ପଛରେ ସ୍ମାର୍ଟ ମିଟର ଲଗାଣ ଜନିତ ଜନ ଅଶୋନ୍ତୋଷ ଯେ, ଏକ କାରଣ ନୁହେଁ ବୋଲି କୁହାଯାଇ ପାରିବ ନାହିଁ । ବିଜେପି ସରକାର ଯଦି ଏ ସମ୍ପର୍କରେ କିଛି ନଶୁଣନ୍ତି ଓ ଶୋଷଣକୁ ସମର୍ଥନ କରନ୍ତି ତେବେ ଭବିଷ୍ୟତରେ ଅତିଷ୍ଠ ଜନସାଧାରଣ ଏହାର ଠିକଣା ଜବାବ ଦେବେ ବୋଲି କେତେକ ସଦସ୍ୟ ପ୍ରତିକ୍ରିୟା ରଖିଥିଲେ । ଯଦି ସ୍ମାର୍ଟ ମିଟର ଉତ୍ତମ ଏବଂ ଗ୍ରହଣୀୟ ତେବେ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ବିଧାନସଭା ମଣ୍ଡଳି ପାଟଣାଗଡରେ ପ୍ରଥମ ଆମୁଳଚୁଳ ଲଗାନ୍ତୁ ବୋଲି କେତେକ ସଦସ୍ୟ ଆକ୍ଷେପ କରିଥିଲେ । ଏହା ବ୍ୟତିତ ସଭାରେ ଆହୁରି ନିଷ୍ପତ୍ତି ନିଆଯାଇଥିଲା । ଟାଟା ପାୱାରର ସ୍ମାର୍ଟ ମିଟର ଲଗାଣ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନରେ ସଂପାଦକଙ୍କୁ ବିଶେଷ ଭାବରେ ସହଯୋଗ କରିବା ପାଇଁ ସାଧାରଣ ପରିଷଦର ସଦସ୍ୟ ପ୍ରଭାକର ମିଶ୍ରଙ୍କୁ ଆନ୍ଦୋଳନର ସଂଯୋଜକ ହିସାବରେ ଗ୍ରହଣ କରିବାକୁ କାର୍ଯ୍ୟକାରୀ କମିଟିରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ତାହା ଏଠାରେ ସର୍ବ ସମ୍ମତିକ୍ରମେ ଅନୁମୋଦିତ ହେଲା । ସୁତରାଂ ପ୍ରଭାକର ମିଶ୍ର ଏହି ଆନ୍ଦୋଳନର ସଂଯୋଜକ ଘୋଷିତ ହେଲେ । ଦୁର୍ଗାପୂଜା ପରେ ବିସର୍ଜନ କାର୍ଯ୍ୟକ୍ରମ ଗୋଟିଏ ଦିନରେ ଓ ବିସର୍ଜନ ଗୋଟିଏ ସ୍ଥାନରେ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିବା ପାଇଁ ପ୍ରସ୍ତାବ ନିଆଗଲା । ତଳସ୍ତରର ନନ୍‌ଗେଜେଟେଡ୍‌ ଚାକିରି ସବୁ ଜିଲ୍ଲା ସ୍ତରର ହେବାକୁ ସରକାରଙ୍କୁ ଚାପ ପକାଇବାକୁ, ଲେଡିଜ କ୍ଲବ ବା ପରଦା କ୍ଲବ ସମ୍ପର୍କରେ ପ୍ରଶାସନକୁ ଆର୍‌ଟିଆଇରେ ସୁଦନା ମାଗିବାକୁ, ମହିଳା କଲେଜ ଛକରେ ଗୋଟିଏ ଟ୍ରାଫିକ୍‌ ପୋଷ୍ଟ କରିବାକୁ କର୍ତ୍ତୃପକ୍ଷଙ୍କ ଠାରେ ଦାବି କରିବାକୁ, ମ୍ୟୁନିସିପାଲିଟିର ଉଚ୍ଛେଦ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବା ପ୍ରଭୃତି ବିଷୟରେ ବିହିତ ପଦକ୍ଷେପ ନେବାକୁ ସିଦ୍ଧାନ୍ତ ଗ୍ରହଣ କରାଗଲା । ସିଦ୍ଧାନ୍ତ ଗ୍ରହଣ କରାଗଲା ଯେ, ସ୍ମାର୍ଟ ମିଟର ଲଗାଣ ବିରୁଦ୍ଧରେ ଆନ୍ଦୋଳନ ସମ୍ପର୍କରେ ଦୃଷ୍ଟି ଆକର୍ଷଣ ଓ ସହଯୋଗ ନିମନ୍ତେ କାଉନ୍‌ସିଲରମାନଙ୍କୁ କାଉନ୍‌ସିଲ ମିଟିଂରେ ଭେଟାଯିବ ଓ ଅନ୍ୟ ଦିନ ସାମାଜିକ ସଂଗଠନର ପ୍ରତିନିଧି ଓ ରାଜନୈତିକ ଦଳମାନଙ୍କ ପ୍ରତିନିଧିମାନଙ୍କ ସହିତ ଏକ ବୈଠକ କରାଯିବ । ଆଲୋଚନାରେ ସଦସ୍ୟ ଜୟରାମ ମିଶ୍ର, ପ୍ରଶାନ୍ତ ପଟ୍ଟନାୟକ, ଧନଞ୍ଜୟ ମିଶ୍ର, ରାହାସ ବିହାରୀ ମାଝି, ଦିବାକର ହୋତା, ମନୋରଂଜନ ପୁରୋହିତ, ଗୌରଚନ୍ଦ୍ର ପୁରୋହିତ, ନରେନ୍ଦ୍ର କୁମାର ଆଚାର୍ଯ୍ୟ, ଧର୍ମବ୍ରତ ରଥ ପ୍ରମୁଖ ବିଶେଷ ଭାବରେ ଅଂଶଗ୍ରହଣ କରିଥିଲେ । ଶେଷରେ ସହ-ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.