ପି.ଏମ୍. କିଷାନ ସମ୍ମାନନିଧି ଯୋଜନାର ୧୮ ତମ କିସ୍ତି ହସ୍ତାନ୍ତର

  • କୃଷକଗଣ ବିକଶିତ ଭାରତର ଆଧାର – ପ୍ରଧାନ ମନ୍ତ୍ରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର ୧୮ ତମ କିସ୍ତିର ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ସମବେତ ଜିଲ୍ଲାର କୃଷକମାନଙ୍କ ସକାଶେ ଏକ ସମାବେଶ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପି.ଏମ୍ କିଷାନନିଧି ଯୋଜନାର ୧୮ ତମ କିସ୍ତିର ହସ୍ତାନ୍ତର ହୋଇଛି । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧିନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ହାରାହାରି ୧,୫୭,୬୧୧ କୃଷି ପରିବାରକୁ ୧୮ ତମ ସମ୍ମାନନିଧି ପ୍ରଦାନ ହୋଇଛି । ମହାରାଷ୍ଟ୍ର ରାଜ୍ୟର ୱସିମ୍ ଠାରେ ଆୟୋଜିତ ଏକ ବିରାଟ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଯୋଡିହୋଇ ଜଣାଇଥିଲେ ଯେ, କୃଷକମାନଙ୍କ ଆର୍ଥକ ବିକାଶ କରି ସେମାନଙ୍କୁ ସଶକ୍ତ କରାଯାଉଛି । ସେଥି ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । କୃଷକମାନଙ୍କ ବିକାଶ ନିମନ୍ତେ ସରକାର ସଂକଳ୍ପ ବଦ୍ଧ । କୃଷକଗଣ ବିକଶିତ ଭାରତର ଆଧାର । ଏହି ପର୍ଯ୍ୟାୟରେ ୯.୪୦ କୋଟି ଚାଷୀଙ୍କୁ ମିଳିବ ହାରାହାରି ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା । ଏହି ଅବସରରେ ଜିଲ୍ଲାସ୍ତରୀୟ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ପି.ଏମ୍. କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ହାରାହାରି ୧,୫୭,୬୧୧ କୃଷି ପରିବାର ୧୮ ତମ ସମ୍ମାନ ନିଧି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଯୋଜନା ତା.୦୨.୦୨.୨୦୧୯ରିଖ ମସିହା ଠାରୁ ଚାଲୁ ରହିଛି । ଏଥିରେ କୃଷି ଓ କୃଷକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆର୍ଥିକ ସହାୟତା ଦିଆଯାଉଛି । ଏହି ଯୋଜନାରେ ଡିବିଟି ମାଧ୍ୟମରେ ସିଧା ସଳଖ ଚାଷୀର ବ୍ୟାଙ୍କ ଖାତାରେ ଦିଆଯାଇଛି । ନୂଆଁଖାଇ ଦିନ ଠାରୁ ଏକ ସାଚୁରେଶନ୍ ଡ୍ରାଇଭ୍ ଚାଲିଛି । ଯେଉଁଠି ବାଦ୍ ପଡିଥିବା ଚାଷୀଙ୍କୁ ଆବଶ୍ୟକୀୟ କାର୍ଯ୍ୟକଳାପ ସଂପାଦନ କରାଇ ପି.ଏମ୍ କିଷାନରେ ଅନ୍ତର୍ଭୁକ୍ତ କରାଯାଉଛି । ଏହି ଯୋଜନାରେ କେବଳ କ୍ଷୁଦ୍ର ନାମମାତ୍ର ଚାଷୀ ନୁହଁ, ମଧ୍ୟମ ଏବଂ ବୃହତ ଚାଷୀ ମଧ୍ୟ ଲାଭ ନେଇ ପାରିବେ । ଏହି ଯୋଜନା ସମ୍ପର୍କରେ ଅଧିକରୁ ଅଧିକ ସଂପ୍ରସାରଣ ପାଇଁ ପି.ଏମ୍.– କିଷାନ ଉତ୍ସବର ଆୟୋଜନ ହୋଇଛି । ତେଣୁ ଆମେ ଏହି ଯୋଜନା ସମ୍ପର୍କରେ ନିଜେ ଜାଣିବା ଓ ଜଣାଇବାକୁ ଚେଷ୍ଟା କରିବା । ଏହା ଦ୍ୱାରା ଆମେ ସଶକ୍ତ ଏବଂ ସମୃଦ୍ଧ ହୋଇପାରିବା । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ମଧୁମିତା ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ତଥା ବରିଷ୍ଠ ବିଜ୍ଞାନୀ ଡଃ ସୁଜିତ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ୟାନ କୃଷି ନିର୍ଦ୍ଦେଶକ ଡଃ. କନ୍ଦ ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ ଲିଡ଼୍ ବ୍ୟାଙ୍କ ପରିଚାଳକ ହିମାଞ୍ଚଳ ସାହୁ ମଞ୍ଚାସୀନ ଥିବା ବେଳେ କୃଷି ବିଭାଗୀୟ ଅଧିକାରୀ, ଜିଲ୍ଲାର କୃଷକଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.