ଅସଦାଚରଣ ଓ ଆକ୍ରମଣ ମାମଲାରେ ୨ ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ ଦଣ୍ଡାଦେଶ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ୱାଇଁ ଏକ ଅସଦାଚରଣ, ଆକ୍ରମଣ ଏବଂ ଚୋରି ମାମଲାର ବିଚାର କରି ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୭ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଛନ୍ତି । ୨ ଅଭିଯୁକ୍ତ ହେଲେ ଫୁଲବାଣୀ ଟାଉନଥାନା ଅନ୍ତର୍ଗତ ଫୁଲବାଣୀ ସାହିର ସୁଜିତ କୁମାର ମହାନ୍ତି (୩୪) ଏବଂ ରାଜୀବ ରଣା (୨୪) । ଏହା ସହିତ ସେମାନଙ୍କୁ ୧୪,୫୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦାୟ ଆଉ ଅଧିକ ୨ ବର୍ଷ ୧୦ମାସ ୭ଦିନ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ମାମଲା ବିବରଣୀରୁ ପ୍ରକାଶ ଯେ, ୩ ନାବାଳକ,ନାବାଳିକା ଭାଇଭଉଣୀ ଭଡ଼ା ଘରେ ଶୋଇଥିବା ବେଳେ ଅଭିଯୁକ୍ତମାନେ ବିଭିନ୍ନ ମାରଣାସ୍ତ୍ର ଧରି ବିଳମ୍ବିତ ରାତ୍ରରେ କବାଟ ବାଡେଇ, ଝରକା ଭାଙ୍ଗି ଗୃହ ଭିତରେ ପ୍ରବେଶ କରି ସେମାନଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିଥିଲେ। ସେମାନଙ୍କ କଥାରେ ରାଜି ନ ହେଲେ ଏସିଡ୍ ପକେଇ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିଲେ। ଏହି ସମୟରେ ଚତୁରତାର ସହିତ ଜଣେ ପୀଡ଼ିତା ଚାଇଲ୍ଡ ହେଲ୍ପ ଲାଇନ ୧୦୮୯କୁ ସାହାଯ୍ୟ ପାଇଁ ଫୋନ୍ କରିଥିଲେ । କିଛି ସମୟ ମଧ୍ୟରେ ଚାଇଲ୍ଡ ହେଲ୍ପଲାଇନ ସଦସ୍ୟ ଏବଂ ପୁଲିସ ଆସି ପହଞ୍ଚି ଯାଇଥିଲେ । ପୀଡ଼ିତା ଫୁଲବାଣୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଥିଲା । ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟର ସ୍ଵତନ୍ତ୍ର ସରକାରୀ ଓକିଲ ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ ।

Leave A Reply

Your email address will not be published.