ତିନି ଏକରରୁ ଅଧିକ ଚାଷ କରିଥିବା କପା ଗଛ ନଷ୍ଟ ଚିନ୍ତାରେ ଡମଝର୍ ଗ୍ରାମର କପାଚାଷୀ ପଦ୍ମନୀ ପାଇକ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ବୋଡ଼େନ୍‌ ବ୍ଲକ ଡମଝର୍‌ ଗ୍ରାମର ପଦ୍ମିନୀ ପାଇକ । ସେ ଅତି ଗରିବ ନୀରିହ ଶ୍ରେଣୀର ଜୀବନ ଅତିବାହିତ କରନ୍ତି । ତାଙ୍କ ନିଜ ନାମରେ ଜମି ବୋଲି କିଛି ନାହିଁ । ନିଜ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ଘରେ କୁଲି ମଜୁରୀ କରି ପରିବାର ଚଳାଇ ଆସୁଥିଲେ । ହେଲେ ସେତିକିରେ ପରିବାର ଚଳିବା ବହୁତ କଷ୍ଟକର । ଧୀରେ ଧୀରେ ପରିବାରରେ ଆର୍ଥିକ ସଙ୍କଟ ଦେଖା ଦେଇଥିଲା । ଯାହା ଫଳରେ ଅନ୍ୟର ଜମିରେ ଚାଷ କରି ଆଉ ଟିକିଏ ଅଧିକା ରୋଜଗାର କରିବା ପାଇଁ ପଦ୍ମିନୀ ଚେଷ୍ଟା କରିଥିଲେ । ନିଜ ଅଞ୍ଚଳର ଏକ ଜମି ମାଲିକ ସହ କଥା ହୋଇ ତାଙ୍କ ଜମିରେ କପା ଚାଷ କରିବା ପାଇଁ ନିଷ୍ପତି ନେଲେ । ଚାଷର ଯତ୍ନ ନେବା ପରେ ବହୁ ସୁନ୍ଦର ଭାବେ ଚାଷ ବଢ଼ି ଚାଲିଲା । ଏମିତି କିଛି ଦିନ ବିତି ଯିବା ପରେ ଚାଷରେ ଅଜଣା ପୋକ ଦେଖା ଦେଇଥିଲା । ଯାହାକୁ ଦେଖି ଚାଷୀଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ପରେ ବିଚଳିତ ହୋଇ ପାଖରେ ଥିବା ସାର ଦୋକାନୀଙ୍କୁ ଯାଇ କପାରେ ରୋଗ ଲାଗିଥିବା ଜଣାଇଥିଲେ । ଦୋକାନୀ ଔଷଦ ଦେଇ ସ୍ପ୍ରେ କରିବା ପାଇଁ କହିଥିଲେ । ଚାଷରେ ସ୍ପ୍ରେ କରିବାର କିଛି ଦିନ ବିତି ଯିବା ପରେ ସବୁ କପା ଝାଉଁଳି ପଡ଼ିବାରେ ଲାଗିଲା ଯାହା ଦେଖି ପଦ୍ମିନୀ ହତାଶ ହୋଇଯାଇଥିଲେ । ପଦ୍ମିନୀ ଚାଷ କରି କିଛି ରୋଜଗାର ହେଲେ ପରିବାର ଲୋକେ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ସାହାଯ୍ୟ ହେବ ବୋଲି ବହୁତ ବଡ଼ ସ୍ୱପ୍ନ ଦେଖିଥିଲେ । ହେଲେ ଦଇବ ଶତ୍ରୁ ସାଜି ଆଜି ସବୁ ଖୁସିକୁ ଦୁଃଖରେ ପରିବର୍ତ୍ତନ କରି ଦେଇଥିଲା । ଚାଷ ଭଲ ହେବ ବୋଲି ଔଷଧ ସ୍ପ୍ରେ କରିଥିଲେ । ହେଲେ ଦୋକାନୀ ଭୁଲ ଔଷଧ ଦେବା ଯୋଗୁଁ ସବୁ ଚାଷ ନଷ୍ଟ ହୋଇଗଲା । ସେ ଚାଷ ଆରମ୍ଭ କରିବା ଆଗରୁ ଲୋକଙ୍କ ଠାରୁ ଧାର କରଜ କରି କପା ଚାଷ କରିଥିଲେ ହେଲେ ସବୁ ନଷ୍ଟ ହୋଇଯିବ ପରେ ଏବେ କେମିତି ଧାର କରଜ କରିଥିବା ଟଙ୍କା ଫେରେଇବେ ବୋଲି ପଦ୍ମିନୀ ହତାଶ ହୋଇ ରହିଛନ୍ତି । ତେଣୁକରି କୃଷି ବିଭାଗ ପକ୍ଷରୁ ଦୋକାନୀ ଦେଇଥିବା ଔଷଧକୁ ଯାଞ୍ଚ କରିବା ସହ ତାଙ୍କ ସମସ୍ତ କାଗଜପତ୍ର ଦେଖି ଦୋକାନୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଷୀ ପ୍ରଶାସନକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.