ରାଉରକେଲା ପ୍ରାକ୍ତନ ଏନ୍.ଏ. ସି.ର ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଉରକେଲା ପ୍ରାକ୍ତନ ଏନ୍.ଏ.ସି(ଏସଟି)ର ଅବସରପ୍ରାପ୍ତ ଶିକ୍ଷକ ଜୟହିନ୍ଦ ସାହୁଙ୍କ ୭୬ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ବାଙ୍ଗାଲୋର ଡାକ୍ତରଖାନାଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ତା.୩୦/୦୮/୨୦୨୪ରିଖ ଶୁକ୍ରବାର ପୂର୍ବାହ୍ନ ୧୧.୩୦ ଘଟିକାରେ ପରଲୋକ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଦେଓଗାଁ ସ୍ୱର୍ଗତ ଶ୍ରୀପତି ଚରଣ ସାହୁଙ୍କ ପୁତ୍ର ଜୟହିନ୍ଦ ସାହୁ, ସେ ଗଙ୍ଗାଧର ମେହେର କଲେଜ ସମ୍ବଲପୁରରେ ପାଠପଢ଼ା ଶେଷ କରିଥିଲେ । ରାଉରକେଲା ପ୍ରାକ୍ତନ ଏନ୍.ଏ. ସି.(ଏସଟି)ରେ ଚାକିରି କରି ଅବସର ଗ୍ରହଣ ମଧ୍ୟ କରିଥିଲେ । ସେ ଜଣେ ଶାନ୍ତ, ମିଷ୍ଟଭାଷୀ, ମେଳାପି, ଧର୍ମପରାୟଣ, ଛାତ୍ରବତ୍ସଳ ଓ ପରୋପକାରୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ରଞ୍ଜନ ସାହୁ, ନାତୁଣୀ ଶୃତି, କନ୍ୟା କବିତା ଓ ସରିତା, ଆତ୍ମୀୟ ସ୍ୱଜନ ତଥା ଆଖପାଖ ଅଞ୍ଚଳର ବହୁ ଲୋକ ଉପସ୍ଥିତ ଥିଲେ । ପୁତ୍ର ରଞ୍ଜନ ସାହୁ ବାଙ୍ଗାଲୋର ସ୍ଥିତ ଶ୍ମଶାନରେ ମୁଖାଗ୍ନୀ ଦେଇଥିଲେ । ତାଙ୍କର ଶେଷକୃତ୍ୟ ବାଙ୍ଗାଲୋର ଠାରେ ସମ୍ପନ୍ନ ହୋଇଯାଇଛି । ଚାକିରିରୁ ଅବସର ପରେ ସ୍ୱର୍ଗତ ସାହୁ ପୁଅ ରଞ୍ଜନଙ୍କ ପାଖରେ ସ୍ଥାୟୀ ଭାବରେ ସେ ଅବସ୍ଥାନ କରୁଥିଲେ । ରାଉରକେଲାର ପ୍ରାକ୍ତନ ଏନ୍.ଏ.ସି(ଏସଟି)ର ଅବସର ପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ପକ୍ଷରୁ ଅମର ଆତ୍ମାର ଶାନ୍ତି ଓ ସଦଗତି କାମନା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ ସହ ଏଭଳି ଦୁଃଖଦ ସମୟରେ ଜଗତର ନାଥ ଶ୍ରୀଜଗନ୍ନାଥ ସେମାନଙ୍କୁ ସାହାସ ଓ ଶକ୍ତି ପ୍ରଦାନ କରନ୍ତୁ, ଏହା ହିଁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।

Leave A Reply

Your email address will not be published.