‘ସୁଭଦ୍ରା’ ଯୋଜନା ପାଇଁ ଏସ୍‌ଓପି ଜାରି : ଗୃହରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘ସୁଭଦ୍ରା ଯୋଜନା’କୁ ନେଇ ରାଜ୍ୟରେ ବିଜେପି ସରକାର ଆସିବା ଦିନ ଠୁ ମହିଳାମାନେ ଅପେକ୍ଷା କରିଥିଲେ । ଆଜି ଏହି ଯୋଜନା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳାମାନଙ୍କୁ ବଡ ଖବର ଦେଇଛନ୍ତି । ପୂର୍ବରୁ ସୁଭଦ୍ରା ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ କରିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏନେଇ ଏସ୍‌ଓପି ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଯୋଜନାରେ ୨୧ ବର୍ଷରୁ ଊର୍ଦ୍ଧ୍ୱ ଓ ୬୦ ବର୍ଷରୁ କମ୍‌ ବୟସର ମହିଳାମାନେ ଲାଭ ପାଇପାରିବେ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ରେ ମହିଳାଙ୍କୁ ଟଙ୍କା ଦିଆଯିବ । ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ଡେବିଟ୍‌ କାର୍ଡ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାର ମୋଟ୍‌ ୫୫ ହଜାର ୮୨୫ କୋଟି ଟଙ୍କା ବଜେଟ୍‌ରେ ବ୍ୟୟବରାଦ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ୧ କୋଟି ମହିଳା ଲାଭ ପାଇବେ । ପ୍ରତିଥର ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦିଆଯିବ । ତେଣୁ ୫ ବର୍ଷରେ ଜଣେ ଯୋଗ୍ୟ ହିତାଧିକାରୀ ମୋଟ୍‌ ୫୦ ହଜାର ଟଙ୍କା ପାଇବେ । ସୁଭଦ୍ରା ଯୋଜନାରେ ଡିଜିଟାଲ୍‌ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଗ୍ରାମପଂଚାୟତ ଏବଂ ସହରାଂଚଳରେ ସର୍ବାଧିକ ପରିମାଣର କାରବାର କରିଥିବା ୧୦୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଅତିରିକ୍ତ ୫ ଶହ ଟଙ୍କାର ପ୍ରୋତ୍ସାହନ ରାଶି ରୂପେ ପ୍ରଦାନ କରାଯିବ । ତେବେ ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହେବାକୁ ଯୋଗ୍ୟ ବିବେଚିତ ହେବେନାହିଁ । ଏହାବ୍ୟତୀତ କୌଣସି ସରକାରୀ ଯୋଜନାରେ ମାସିକ ଦେଢ଼ ହଜାର କିମ୍ବା ବାର୍ଷିକ ୧୮ ହଜାର ଟଙ୍କା ପାଉଥିବା ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେନାହିଁ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳାମାନେ ଅଙ୍ଗନୱାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଇତ୍ୟାଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ ।

Leave A Reply

Your email address will not be published.