ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ହାତୀର ଭୟ ।୧୭ ଟିକିଆ ହାତୀପଲ ବିଳମ୍ବିତ ରାତିରେ ସିଲିଦା ଗ୍ରାମରେ ପଶି ଗ୍ରାମର ମଧୁସୂଦନ ସେଠୀଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି । ପରିବାର ଲୋକେ ଘରେ ଶୋଇଥିବା ସମୟରେ ହାତୀ ଘର ଭାଙ୍ଗିବାରୁ ଘରର କାନ୍ଥ ପଡିଯାଇଥିଲା । ତେବେ ଦେଢ଼ମାସର ଶିଶୁ ପୁତ୍ର ସହ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେହିପରି ଖିରେଇ ଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ଏକ ୧୧ ଟିକିଆ ହାତୀପଲ ଅଞ୍ଚଳରେ ଏକର ଏକର ଧାନ ଚାଷ ନଷ୍ଟ କରିବା ବେଳେ କୁଞ୍ଜ ବିହାରୀ ନାଏକଙ୍କ ପାଚେରୀ ଭାଙ୍ଗି ଦେଇଛନ୍ତି । ୧୭ ଟିକିଆ ହାତୀପଲ ଏବେ ପାଟଣା ବୈତରଣୀ ନଦୀ ନିକଟ ଆକାଶିଆ ଜଙ୍ଗଲରେ ଡେରା ପକାଇଥିବା ବେଳେ ୧୧ ଟିକିଆ ହାତୀପଲ ବେଲଦା ଜଙ୍ଗଲରେ ଡେରା ପକାଇଛନ୍ତି । ବନବିଭାଗ ହାତୀପଲଙ୍କ ଉପରେ କଡା ନଜର ରଖିଛି ।

Leave A Reply

Your email address will not be published.