ବାଲିଗୁଡ଼ାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି : ପୂର୍ବ ସୂଚନା ନଥିବାରୁ ଜନ ପ୍ରତିନିଧି ମାନଙ୍କ କ୍ଷୋଭ ପ୍ରକାଶ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ବଳଭଦ୍ର ଦୀପ, ଉପଜିଲ୍ଲାପାଳ ଡା. ରୀନା ପ୍ରଧାନ, ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା ପ୍ରମୁଖ ମଂଚାସୀନ ଥିଲେ । ସମୁଦାୟ ୪୯ ଗୋଟି ଅଭିଯୋଗ ମଧ୍ୟରେ ୩୯ଟି ବ୍ୟକ୍ତିଗତ ଏବଂ ୧୦ଟି ସାମୁହିକ ଅଭିଯୋଗର ଶୁଣାଣି ହୋଇଛି । ପଡିକାର୍ଡ, ଆବାସ ଯୋଜନା, ବାଲିଗୁଡା କୁଟିକିଆ, ପଦ୍ମାପଦରକୁ ସଂଯୋଗ କରୁଥିବା ଝୁଲାପୋଲ, ଖମନଖୋଲରେ ଆମ୍ବୁଲାନ୍ସ ସୁବିଧା, ବାରଖମା ମେଡିକାଲରେ ଏକ୍ସରେ ମେସିନ୍‌ ମରାମତି, ରାସ୍ତାଘାଟ ଆଦି ସମ ଅଭିଯୋଗ ଆସିଥିଲା । ଏହି ଅବସରରେ କିଛି ହିତାଧିକାରୀଙ୍କୁ ହୁଇଲ୍‌ଚେୟାର ଓ ଟ୍ରାଇସାଇକେଲ ଏବଂ ୨ ଜଣଙ୍କୁ ନୂତନ ବିଧବା ଭତ୍ତା ଦିଆଯାଇଛି । ଅନ୍ୟପଟେ ଅଭିଯୋଗ ଶୁଣାଣି ସମ୍ପର୍କରେ ପୂର୍ବରୁ ପୂର୍ବ ସୂଚନା ଦିଆଯାଇ ନଥିବାରୁ ବାଲିଗୁଡା ବ୍ଲକ ସ୍ତରୀୟ ପଞ୍ଚାୟତ ଜନପ୍ରତିନିଧି ପରିଷଦ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି । କାର୍ଯ୍ୟକ୍ରମ ସମ୍ପର୍କରେ ପୂର୍ବରୁ ସୂଚନା ଦିଆଯାଇଥିଲେ ଆମ ଅଞ୍ଚଳର ସମସ୍ୟା ଲୋକେ ଉପସ୍ଥାପନ କରି ପାରିଥାନ୍ତେ । କିନ୍ତୁ ତାହା ହୋଇପାରି ହୋଇପାରିଲା ନାହିଁ ବୋଲି ପରିଷଦର ସଭାପତି ତାପ ମଲ୍ଲିକ, ଉପସଭାପତି ପରମାନନ୍ଦ ନାୟକ, ସମ୍ପାଦକ ଅଶୋକ ମଲ୍ଲିକ, କୋଷାଧ୍ୟକ୍ଷ ଜାନକୀ କହଁର, ଉପଦେଷ୍ଟା ରଘୁନାଥ ମଳିକଙ୍କ ସମେତ ଅନ୍ୟ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.