ସାନ ସଉତୁଣୀର ବାଲଟି ମାଡରେ ବଡ଼ ସଉତୁଣୀ ମୃତ

  • ବନ୍ଧା ହୋଇ ଜେଲ ଗଲେ ସାନ ସଉତୁଣୀ ଓ ସ୍ୱାମୀ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ବୋଡେନ ଥାନା ଅଧୀନସ୍ଥ ବରଗାଁ ପଂଚାୟତ ଜାମଗାଁ ଠେଲାପଡାରେ ସୋମବାର ଏକ ଅଭାନୀୟ ଘଟଣା ଘଟିଛି । ସାନ ସଉତୁଣୀର ବାଲଟି ମାଡରେ ବଡ଼ ସଉତୁଣୀ ବାରୁଣୀ ଜଗତ (୪୪)ଙ୍କ ମୃତ୍ୟୁ ଘଟିଛି । ସ୍ୱାମୀ ହେରମ୍ଭ ଓ ଦ୍ୱିତୀୟ ସ୍ତ୍ରୀ ମାଧୁରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୃତକ ବାରୁଣି ଜଗତଙ୍କ ଗୋଟେ ୧୧ ବର୍ଷିୟା ଝିଅ ରହିଥିବାର ଜଣାପଡ଼ିଛି । ସୂଚନା ମୁତାବକ ସିନାପାଲି ବ୍ଲକ ବରଗାଁ ଫଚାୟତ ଜାମଗାଁ ଠେଲାପଡାର ହେରମ୍ଭ ଜଗତ ବୋଡେନ ବ୍ଲକ ବାବେବିର ଗାଁର ବାରୁଣୀ ଦେଇଙ୍କୁ ବୈଦିକ ରୀତିନୀତିରେରେ ବିବାହ କରି ସୁଖ ସଂସାର କରି ଚଳି ଆସୁଥିଲେ । ପରେ ହେରମ୍ଭ ଛତିଶଗଡରୁ ଭଲପାଇ ଦ୍ୱିତୀୟ ବିବାହ କରି ମାଧୁରୀ ଦେଇଙ୍କୁ ଆଣିଥିଲେ । ଦ୍ୱିତୀୟ ସ୍ତ୍ରୀ ଘରକୁ ଆସିବା ଦିନ ଠାରୁ ୨ ସଉତୁଣୀଙ୍କ ମଧ୍ୟରେ ପ୍ରତିଦିନ କଳିଝଗଡା ଲାଗି ରହିଥିଲା । ଗତ ୩ ତାରିଖ ଶନିବାର ଦିନ ୨ ସଉତୁଣୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ୨ ସଉତୁଣୀ ମଧ୍ୟରେ କଳିଝଗଡା ବଢି ଯାଇଥିଲା । ଯାହାଫଳରେ ଦ୍ୱିତୀୟ ସ୍ତ୍ରୀ ମାଧୁରୀ ହାତରେ ଧରିଥିବା ଷ୍ଟିଲ୍‌ ବାଲଟିରେ ବାରୁଣିଙ୍କୁ ମାଡ ମାରିଥିଲେ । ମୁଣ୍ଡରେ ଶକ୍ତ ଆଘାତ ଲାଗି ମୁଣ୍ଡ ଫାଟି ଯାଇ ରକ୍ତାକ୍ତ ହୋଇ ଯାଇଥିଲା । ମୁଣ୍ଡ ଫାଟି ଯାଇଥିଲେ ମଧ୍ୟ ବାରୁଣିଙ୍କୁ ଚିକିତ୍ସାଳୟକୁ ନନେଇ ଘରେ ଘରୋଇ ଉପଚାର କରିଥିଲେ । ଧୀରେ ଧୀରେ ଅବସ୍ଥା ଅତି ସାଂଘାତିକ ହୋଇ ୫ ତାରିଖ ସୋମବାର ଦିନ ବାରୁଣିଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ବାରୁଣିଙ୍କ ଘର ପରିବାର ଲୋକେ ଜାଣିବା ପରେ ବାରୁଣିଙ୍କ ବଡଭାଇ ବିଶିକେଶନ ତାଣ୍ଠି ମୋର ଭଉଣୀକୁ ମାରି ଦେଇଛନ୍ତି ବୋଲି ବୋଡେନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ବୋଡେନ ପୋଲିସ ୬ ତାରିଖ ମଙ୍ଗଳବାର ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ବୋଡେନ ଥାନା କେସ ନଂ-୧୭୭/ ୨୪ରେ ଏକ ମାମଲା ରୁଜୁ କରି ସ୍ୱାମୀ ହେରମ୍ଭ ଓ ସ୍ତ୍ରୀ ମାଧୁରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚାଳିଥିବା ବୋଡ଼େନ ଆଇଆଇସି ଗୋବିନ୍ଦ ମାଝୀ ଓ ଖଡିଆଳ ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.