କେନ୍ଦୁପତ୍ର ଗୋଦାମ ଘରେ ନିଆଁ ଲଗେଇଲେ ଦୁର୍ବୃତ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଖପ୍ରାଖୋଲ ରେଞ୍ଜର ଖୁରୀପାଣି କେନ୍ଦୁପତ୍ର ଫଡିଘରକୁ କେହି ଜଣେ ଦୁର୍ବୃତ୍ତ ପୋଡି ଦେଇଥିବା ଲାଠୋର ଥାନାରେ ଅଭିଯୋଗ ହୋଇଛି । କେନ୍ଦୁପତ୍ର ଖରିଦ କାର୍ଯ୍ୟ ସମାପ୍ତ ହେବାପରେ ଏବେ ବିଭିନ୍ନ କେନ୍ଦୁପତ୍ର ଗୋଦାମ ଘରେ କେନ୍ଦୁପତ୍ର ମହଜୁଦ ଅଛି । ପ୍ରଥମ ପର୍ଯ୍ୟାୟରେ ଅନେକ ଗୋଦାମ ଘରେ କେନ୍ଦୁପତ୍ର ବନ୍ଧେଇ କାର୍ଯ୍ୟ ଚାଲିଛି । ଖପ୍ରାଖୋଲ ରେଞ୍ଜ ଅଧିନସ୍ଥ ଲାଠୋର ଥାନା ଅନ୍ତର୍ଗତ ଖୁରୀପାଣି କେନ୍ଦୁପତ୍ର ଗୋଦାମ ଘରକୁ ଶୁକ୍ରବାର ରାତିରେ ପୋଡି ଦିଆଯାଇଥିବା ନେଇ ଖପ୍ରାଖୋଲ କେନ୍ଦୁଲିଫ ରେଞ୍ଜର ଦାୟିତ୍ୱରେ ଥିବା ଅରବିନ୍ଦ ପଣ୍ଡା ଲାଠୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖୁରୀପାଣି କେନ୍ଦୁପତ୍ର ଗୋଦାମ ଘରେ ଚଳିତ ସିଜନରେ ୪ ଲକ୍ଷ ୮୯ ହଜାର ୭୬ ଟଙ୍କାର ପତ୍ର ଖରିଦ କରାଯାଇଥିଲା । ଏହାର ବିକ୍ରି ମୂଲ୍ୟ ଆନୁମାନିକ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ । ବଲାଙ୍ଗିର ଜିଲ୍ଲା ପୋଲିସ ଅଧିକ୍ଷକ ଋଷିକେଶ ଖିଲାରୀ, ଜିଲ୍ଲା କେନ୍ଦୁପତ୍ର ବିଭାଗ ଡିଏଫ୍‌ଓ ସୁରେଶ ଚନ୍ଦ୍ର ସେଠି, ପାଟଣାଗଡ଼ ଏସ୍‌ଡିପିଓ ସଦାନନ୍ଦ ପୁଝାରୀ, ଲାଠୋର ଥାନାଧିକାରୀ ରାକେଶ ବେହେରା, ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ଘଟଣାସ୍ଥଳର ସରଜମିନ ତଦନ୍ତ କରିଛନ୍ତି । ଗତ କିଛି ବର୍ଷ ଭିତରେ ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନରେ କେନ୍ଦୁପତ୍ର ଗୋଦାମ ଘର ପୋଡିଯିବା ଦ୍ୱାରା ବିଭାଗର ଲକ୍ଷାଧିକ ଟଙ୍କା କ୍ଷତି ହୋଇଛି । ଏତେ ପରିମାଣରେ ପୋଡାଇ ଦିଆଯାଇଥିଲେ ମଧ୍ୟ ଦୁର୍ବୃତ୍ତ ମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି । କମ୍ପାନୀ କା ମାଲ୍‌ ଦରିଆ ମେ ଡାଲ୍ ନୀତିରେ କେନ୍ଦୁପତ୍ର ବିଭାଗର ଅଧିକାରୀ ମାନେ ଚୁପ ଅଛନ୍ତି । କେନ୍ଦୁପତ୍ର ବିଭାଗର ଲୋକେ ସଂପୃକ୍ତ ନଥିଲେ ଏଭଲି ବାରମ୍ବାର କେନ୍ଦୁପତ୍ର ଗୋଦାମ ଘର ପୋଡିବ ନାହିଁ ବୋଲି ତଥ୍ୟଭିଜ୍ଞ ମହଲ ବିଶ୍ୱାସ କରିଛି । ବର୍ଷକୁ ବର୍ଷ ପାଟଣାଗଡ଼ ଡିଭିଜନରେ କେନ୍ଦୁପତ୍ର ଗୋଦାମ ଘର ପୋଡିଥିବା ଯୋଗୁଁ ଓ ଏଥି ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ହୋଉଥିବାରୁ ଏହି ଘଟଣା ତଦନ୍ତଭାର ରାଜ୍ୟ କ୍ରାଇମବ୍ରାଞ୍ଚ ହାତରେ ନ୍ୟସ୍ତ କରିବା ଦରକାର ବୋଲି ଜନସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.