ସ୍ୱର୍ଗତ ଡ. ସଦାନନ୍ଦ ଅଗ୍ରୱାଲଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ମୃତିସଭା

ତରଭା, (କେପିଏନ୍‌ଏସ୍‌) : ଡ. ସଦାନନ୍ଦ ଅଗ୍ରୱାଲ ଓଡ଼ିଶାର ଜଣେ ସ୍ୱନାମଧନ୍ୟ ଲିପିତତ୍ତ୍ୱବିଦ, ମହିମାଧର୍ମର ଗବେଷକ, ଐତିହାସିକ ଥିବା ସହିତ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଏହି ଅଂଚଳର ସାମାଜିକ, ସାଂସ୍କୃତିକ, ଧାର୍ମିକ ଅନୁଷ୍ଠାନ ଗୁଡିକର ଦିଗଦର୍ଶକ ଥିଲେ । ସେ ତାଙ୍କ ଜୀବନରେ କଲେଜ ପାଠ ପଢ଼ିବାର ସୁଯୋଗ ପାଇନଥିଲେ କିନ୍ତୁ ନିଜ ଅଧ୍ୟବସାୟ ବଳରେ ଅନେକଗୁଡିଏ ଗବେଷଣା ଲବ୍ଧ ପୁସ୍ତକ ରଚନା କରିଥିଲେ ଯାହାକି ବିଶ୍ୱବିଦ୍ୟାଳୟ ମାନଙ୍କରେ କ୍ଲାସ କୋର୍ସ ଭାବରେ ଛାତ୍ରଛାତ୍ରୀ ମାନେ ପାଠ ପଢୁଛନ୍ତି । ଡ. ଅଗ୍ରୱାଲ ମାତ୍ର ମାଟ୍ରିକ୍‌ ପଢିଥିଲେ ହେଁ ବିଶ୍ଵଭାରତୀ ଶାନ୍ତି ନିକେତନ, ଓଡିଶା ସଂସ୍କୃତି ବିଶ୍ୱ ବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନକୁ ଭିଜିଟିଙ୍ଗ ପ୍ରଫେସର ଭାବରେ ପାଠ ପଢାଇ ଯାଉଥିଲେ । ମୁଖ୍ୟତଃ ପୁରାତନ ଶିଳାଲିପି, ତାମ୍ରପତ୍ର ଉତ୍ୟାଦି ପାଠୋଦ୍ଧାରରେ ସେ ସିଦ୍ଧହସ୍ତ ଥିଲେ ବୋଲି ମହର୍ଷି ବୁଦ୍ଧରାମ ମହାବିଦ୍ୟାଳୟ ଠାରେ ଆୟୋଜିତ ସ୍ୱର୍ଗତ ଆଗ୍ରୱାଲଙ୍କ ୭ମ ତିରୋଧାନ ଦିବସରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି । ଏମ୍‌ବିଆର୍‌ ଡିଗ୍ରୀ କଲେଜ ଓ ସଦାନନ୍ଦ ଅଗ୍ରୱାଲ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସ୍ମୃତିସଭାରେ କଲେଜ ପରିଚାଳନା କମିଟିର ସଭାପତି ବାଳଗୋପାଳ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ସମ୍ମାନିତ ଅତିଥି ଭାବରେ ସୋନପ୍ରୁ ଯୁବ ରେଡ୍‌କ୍ରସ୍‌ ସୋସାଇଟିର ଜିଲ୍ଲା ସଂଯୋଜକ ଉମାକାନ୍ତ ନାଗ, ଭୀମଭୋଇ ସମାଧିପୀଠ ଟ୍ରଷ୍ଟ ଖଲିଆପାଲିର ମେନେଜିଙ୍ଗ ଟ୍ରଷ୍ଟି ଛାତ୍ରଧାରୀ ଅଗ୍ରୱାଲ, ବଲାଙ୍ଗିର ମାରୱାଡି ସମ୍ମିଳନର ସଭାପତି ସଞ୍ଜୟ ଅଗ୍ରୱାଲ, ପାଇକବାହାଲ ପଂଚାୟତର ସରପଞ୍ଚ ଗଣନାଥ ସାହୁ ଓ ମୁଖ୍ୟବକ୍ତା ଭାବରେ ସୋହେଲା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଟେକଚନ୍ଦ ଦୂୱାନ ଯୋଗ ଦେଇଥିଲେ । ସ୍ମୃତି କମିଟିର ସିଦ୍ଧାର୍ଥ ଅଗ୍ରୱାଲ, ସ୍ୱର୍ଗତ ଅଗ୍ରୱାଲଙ୍କ ବନ୍ଧୁନାରାୟଣ ଝାଙ୍କର, ସନ୍ତୋଷ ଦାସ, କଲେଜର ଅଧ୍ୟକ୍ଷ ସଚିଦାନନ୍ଦ ରଥ ପ୍ରମୁଖ ସ୍ୱର୍ଗତ ଆଗ୍ରୱାଲଙ୍କ ସ୍ମୃତିଚାରଣ କରିଥିଲେ । କାର୍ୟ୍ୟକ୍ରମକୁ ସାମ୍ବାଦିକ ପୂର୍ଣଚନ୍ଦ୍ର ପଣ୍ଡା ସଂଯୋଜନା କରିଥିବା ବେଳେ ଶେଷରେ କଲେଜର ଇଂରାଜୀ ଅଧ୍ୟାପକ ଉମାକାନ୍ତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମେ ସ୍ୱର୍ଗତ ସଦାନନ୍ଦ ଅଗ୍ରୱାଲଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଅତିଥିଗଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କଲେଜ ପରିଚାଳନା କମିଟିର ନାରଦ ପୁଜାହାରୀ, ଚୈତନ୍ୟ ବାରିକ, ମହାଦେବ ଜେନା, ହୃଷିକେଶ ପାତ୍ର, ସ୍ୱର୍ଗତ ଆଗ୍ରୱାଲଙ୍କ ସହଧର୍ମିଣୀ ଶ୍ରୀମତୀ ତାରା ଅଗ୍ରୱାଲ, ବୋହୁ ଚଞ୍ଚଳ ଅଗ୍ରୱାଲ, ଭଣଜା ଗୌତମ ଅଗ୍ରୱାଲ, ମନୋଜ ଅଗ୍ରୱାଲ, ଯୁକ୍ତ ୨ ମହାବିଦ୍ୟାଳୟ ଓ ଡିଗ୍ରୀ କଲେଜର ଅଧ୍ୟାପକ ଓ କର୍ମଚାରୀଗଣ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୩୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପଣ୍ଡାପାଲି ନେତ୍ର ନିକେତନ ପକ୍ଷରୁ ଆୟୋଜିତ ମାଗଣା ଚକ୍ଷ୍ୟୁ ଚିକିତ୍ସା ଶିବିରରେ ୭୬ ଜଣ ରୋଗୀ ଚକ୍ଷ୍ୟୁ ପରୀକ୍ଷ୍ୟା କରାଇଥିଲେ ।

Leave A Reply

Your email address will not be published.