ଦୋକାନରୁ ତାଲା କାଟି କମ୍ପ୍ୟୁଟର ସାମଗ୍ରୀ ଚୋରି ଘଟଣା : ଧରାପଡିଲେ ୪ ଅଭିଯୁକ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ କିଛି ଦିନ ତଳେ କିଛି କମ୍ପୁଟର ଦୋକାନରୁ ତାଲା କାଟି କମ୍ପ୍ୟୁଟର ସାମଗ୍ରୀ ଚୋରି ହୋଇଥିବା ଘଟଣାରେ ତୁରେକେଲା ପୋଲିସକୁ ମିଳିଛି ବଡ ସଫଳତା । ସୂଚନା ଅନୁଯାୟୀ ଗତ ୯ ତାରିଖ ରାତିରେ ତୁରକେଲା ଥାନା ଅନ୍ତର୍ଗତ କନ୍ଦେଇ ଗାଁ ଏବଂ ସଦର ତୁରେକେଲା ସ୍ଥିତ ଦୁଇଟି କମ୍ପ୍ୟୁଟର ଦୋକାନରୁ ସଟର ତାଲା ଭାଙ୍ଗି କମ୍ପ୍ୟୁଟର ସାମଗ୍ରୀ ଚୋରି ହୋଇଥିବା ତୁରକେଲା ଥାନାରେ ଅଭିଯୋଗ ହୋଇଥିଲା । ତା’ ସହ ଗୋଟିଏ ବ୍ରୟେଲର କୁକୁଡ଼ା ଦୋକାନରୁ କୁକୁଡ଼ା ମଧ୍ୟ ଚୋରି ହୋଇଥିଲା । ଏନେଇ ତୁରେକେଲା ଥାନାରେ ତିନୋଟି କେସ୍‌ ୨୧୯/୨୦୨୪, ୨୨୦/୨୦୨୪, ଏବଂ ୨୨୧/୨୦୨୪ରେ ମାମଲା ରୁଜୁ ହୋଇଥିଲା । ଏନେଇ ତୁରେକେଲା ଥାନାଧିକାରୀ ରମାକାନ୍ତ ସାହୁ ଚୋରଙ୍କୁ ଖୋଜିବାରେ ଲାଗି ପଡ଼ିଥିଲେ । ସିସିଟିଭି ଫୁଟେଜ୍‌କୁ ଭିତ୍ତିକରି ଚାରି ଜଣ ଚୋରଙ୍କୁ ଦୁଇ ଦିନ ଭିତରେ ଗିରଫ କରି ତାଙ୍କ ପାଖରୁ ଛତିଶଗଡ ରାଜ୍ୟ ନମ୍ବର ବିଶିଷ୍ଟ ଗୋଟିଏ ସ୍ୱିଫ୍ଟ ଡିଜାୟେର କାର୍‌ ନଂ ସିଜି୦୪-ଏଲ୍‌ଏମ୍‌- ୩୨୨୨, ଲୁହା କାଟିବା ଯନ୍ତ୍ର, ଛୁରି, ଗୋଟିଏ କମ୍ପ୍ୟୁଟର, ଦୁଇଟି ପ୍ରିଣ୍ଟର, ଗୋଟିଏ ଲେମିନେସନ୍‌ ଯନ୍ତ୍ର, ଗୋଟିଏ ଫ୍ରିଜ୍‌ ଏବଂ ଦୁଇଟି ଜିଅନ୍ତା ବ୍ରୟେଲର୍‌ କୁକୁଡ଼ା ଜବତ କରିଥିବା ଜଣାପଡିଛି । ଚୋରମାନେ ପ୍ରଥମେ ଛତିଶଗଡ ସ୍ଥିତର ରାଇପୁରକୁ ଯାଇ ପ୍ରଥମେ କାର୍‌ ଚୋରି କଲେ ଚୋରି କରିବା ପାଇଁ ତାପରେ ରାତି ଅଧରେ କାର୍‌ରେ ବୁଲି ବୁଲି ଦୋକାନ ମାନଙ୍କରେ ଲାଗିଥିବା ତାଲା କାଟି ଦୋକାନରେ ଥିବା ସାମଗ୍ରୀ ଚୋରି କରୁଥିଲେ । ଧରାପଡି ଥିବା ଚୋର ମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ତୁରକେଲା ଥାନା ଅନ୍ତର୍ଗତ ଗଞ୍ଜାଉଡାର ଗ୍ରାମର ଖଗେଶ୍ୱର କୁଅଁର (୧୮) ତାର ସହଯୋଗୀ ମାନେ ହେଲେ ପାଣ୍ଡରେନ ଗ୍ରାମର ଦିଲ୍ଲୀପ ଖୁରା(୨୪), କିଶୋର ନାଗ(୧୮) ଏବଂ ଦିନେଶ ନିଆଲ(୧୮) । ଏମାନଙ୍କୁ ତୁରେକେଲା ପୋଲିସ ଶୁକ୍ରବାର କଣ୍ଟାବାଞ୍ଜି କୋର୍ଟକୁ ଚାଲାଣ କରିଥିବା ବେଳେ ସେମାନଙ୍କ ବେଲ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ଚୋରି କରିବା ପାଇଁ ସେମାନେ କିଛି ଛାଡୁ ନାହାନ୍ତି, ପୋଲିସକୁ ମଧ୍ୟ ଏମାନଙ୍କ ଆଉ ଭୟ ନାହିଁ, ମନଇଛା ଚୋରି କରି ଖସି ପଳାଉଛନ୍ତି । କିନ୍ତୁ ଚୋର ଯେତେ ଚାଲାକ ହେଲେବି ପୋଲିସ ଆଗରେ ତାଙ୍କ ଚାଲାକି ଫିକା ପଡ଼ିଯାଏ । ସେହିପରି ତୁରକେଲା ଥାନାଧିକାରୀ ରମାକାନ୍ତ ସାହୁଙ୍କ ବୁଦ୍ଧି ଆଗରେ ଚୋରମାନେ ଦୁଇ ଦିନରେ ଫିକା ପଡିଗଲେ । ପୋଲିସର ଏହି ନିସ୍ଵାର୍ଥ ସହ କାର୍ଯ୍ୟ କରିବା ଦେଖି ଜନସାଧାରଣରେ ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.