ଆର୍. ଜି. ଏଚ୍.କୁ ରାଜଧାନୀ ହସ୍ପିଟାଲ୍‌ର ମାନ୍ୟତା ସହିତ ବିବିଧ ସମସ୍ୟାର ସମାଧାନ ପାଇଁ ବିଜେପିର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ପାନପୋଷ ସାଂଗଠନିକ ଜିଲ୍ଲାର ଏକ ପ୍ରତିନିଧି ଦଳ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ଓ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ୱରେ ସୁନ୍ଦରଗଡକୁ ଗ୍ରସ୍ତରେ ଆସିଥିବା ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନାକୁ ରାଜଧାନୀ ହସ୍ପିଟାଲ୍‌ର ମାନ୍ୟତା ପ୍ରଦାନ ସହିତ ବିବିଧ ସମସ୍ୟାର ସମାଧାନ ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ପତ୍ରରେ ଦର୍ଶାଯାଇଛି ଯେ, ଗତ ସରକାର ଆର୍. ଜି. ଏଚ୍.କୁ ରାଜଧାନୀ ହସ୍ପିଟାଲ୍‌ର ମାନ୍ୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ତାହା ସ୍ୱପ୍ନ ହୋଇ ରହିଗଲା । ଭୁବନେଶ୍ୱର ଓ ରାଉରକେଲା ସରକାରୀ ଡାକ୍ତରଖାନା ଗୋଟିଏ ବର୍ଷରେ ନିର୍ମାଣ ହୋଇଥିଲା ଏବଂ ଉଭୟକୁ ସ୍ମାର୍ଟ ସିଟି କେନ୍ଦ୍ରରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଘୋଷଣା କରି ସମସ୍ତ ପ୍ରକାର ଆର୍ଥିକ ସାହାର୍ଯ୍ୟ କରୁଛନ୍ତି । କିନ୍ତୁ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ରାଜଧାନୀ ହସ୍ପିଟାଲ୍‌ର ମାନ୍ୟତା ମିଳି ପାରିଲା ନାହିଁ । ଏହି ହସ୍ପିଟାଲ୍‌କୁ ଓଡ଼ିଶା ସହିତ ପଡୋଶୀ ରାଜ୍ୟ ଝାରଖଣ୍ଡ ଓ ଛତିଶଗଡ଼ର ମଧ୍ୟ ରୋଗୀମାନେ ଚିକିତ୍ସା ପାଇଁ ଆସୁଛନ୍ତି । ଜନସଂଖ୍ୟା ବୃଦ୍ଧି ଓ ଜନତାଙ୍କ ଦାବୀକୁ ଦୃଷ୍ଟିରେ ରଖି ଏହାକୁ ରାଜଧାନୀ ହସ୍ପିଟାଲ୍‌ର ମାନ୍ୟତା ପ୍ରଦାନ କରିବାକୁ ଅନୁରୋଧ କରାଯାଉଛି । ଏହି ହସ୍ପିଟାଲ୍‌କୁ ଆଉଟ୍ ସୋର୍ସିଙ୍ଗ ଦ୍ଵାରା ନିଆଯାଉଥିବା ସ୍ଵାସ୍ଥ୍ୟ କର୍ମୀ, ସେକ୍ୟୁରିଟୀ ଗାର୍ଡ ଆଦିକୁ ଲୋକାଲ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି କରିବା ପାଇଁ ଦାବୀ କରାଯାଇଛି । ଏହି ହସ୍ପିଟାଲ୍‌ରେ ଗତ ସରକାରଙ୍କ ମଧୁ ଚନ୍ଦ୍ରିକାରେ ଚାଲିଥିବ ବ୍ୟାପକ ହେରାଫେରି, ଅନିମିୟତା ଓ ଦୁର୍ନିତୀର ତଦନ୍ତ କରାଯାଇ ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରାଯାଉ । ଜନସଂଖ୍ୟା ଦୃଷ୍ଟିକୁ ଦେଖି ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଉ । ହସ୍ପିଟାଲ ପାଇଁ ଆବଶ୍ୟକ ଡକ୍ଟର, ନର୍ସିଂ ଷ୍ଟାଫ, ପାରା ମେଡ଼ିକାଲ୍‌ ଷ୍ଟାଫ, ଆବଶ୍ୟକ ମେଡିକାଲ୍‌ ସରଞ୍ଜାମ ଓ ଯନ୍ତ୍ରପାତି ଯୋଗାଇ ଦିଆଯାଉ । ଉପଯୁକ୍ତ ବାତାନୁକାଳୀନ ଯନ୍ତ୍ର ଓ କୁଳର ଅଭାବରୁ, ଗ୍ରୀଷ୍ମ ଋତୁ ସମୟରେ ଭୀଷଣ ରୌଦ୍ରତାପ ଯୋଗୁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏଣୁ ଏହାର ସମାଧାନ ପାଇଁ ଅନୁରୋଧ କରାଯାଇଛି । ଉପୋରକ୍ତ ଦାବୀ ଉପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ମହୋଦୟ ପ୍ରତିଶ୍ରୁତି ଦେଇଥିଲେ । ପରିଶେଷରେ ଜିଲ୍ଲା ତରଫରୁ ପାନପୋଷ ସାଂଗଠନିକ ଜିଲ୍ଲାକୁ ଗ୍ରସ୍ତରେ ଆସିବାକୁ ଅନୁରୋଧ କରାଯାଇଥିଲ । ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରଘୁନାଥପଲ୍ଲୀ ବିଧାୟକ ଦୂର୍ଗା ଚରଣ ତନ୍ତୀଙ୍କ ସହିତ ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଜେନା, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସ, ରଘୁନାଥପଲ୍ଲୀ କ୍ଷେତ୍ର ସଂଯୋଜକ ଅଶୋକ ଲେଙ୍କା ସାମିଲ ହୋଇଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.