
ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାର ୧୦ ଗୋଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ବରଗଡ଼ ଜିଲ୍ଲା ଅନ୍ୟତମ । ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା ତଥା ସାମଗ୍ରିକ ବିକାଶ କ୍ଷେତ୍ରରେ ଏହି ଅଞ୍ଚଳ ବିକାଶ ମାନଦଣ୍ଡର ନିମ୍ନରେ ରହିଛି । ଜିଲ୍ଲାର ପାଇକମାଲ ବ୍ଲକ୍ର ୫ ଗୋଟି ଗ୍ରାମ ଯଥା ମିଠାପାଲି, ଝିଟକି, ଛିନ୍ଦେକେଲା, ଜାମସେଠ ଓ ବଡତୁଣ୍ଡା ପଞ୍ଚାୟତରେ ଏଲ୍. ଟି. ଆଇ. ମାଇଣ୍ଡ ଟ୍ରି ଫାଉଣ୍ଡେସନ୍ର ସହାୟତା ତଥା ମହାଶକ୍ତି ଫାଉଣ୍ଡେସନ୍ ପରିଚାଳନାରେ ସମନ୍ଵିତ ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ ଲୋକାର୍ପିତ ହୋଇଛି । ଆଜି ବ୍ଲକ୍ର ବରତୁଣ୍ଡା ଗ୍ରାମରେ ଏଲ୍. ଟି. ଆଇ. ମାଇଣ୍ଡଟ୍ରୀ ଫାଉଣ୍ଡେସନ୍ର ସାମାଜିକ ଦାୟିତ୍ଵ ବୋଧ ବିଭାଗର ଗ୍ଲୋବାଲ ହେଦ୍ ପନୀଶ ରାଓ ଏକ ଫାର୍ମ ପୁନରୁଦ୍ଧାର କାର୍ଯ୍ୟ ଶୁଭାରମ୍ଭ କରି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଜିଲ୍ଲା, ବ୍ଲକ୍ ପ୍ରଶାସନ, ଗ୍ରାମ ପଞ୍ଚାୟତ ତଥା ସମସ୍ତ ଅଂଶୀଦାରଙ୍କ ସହଯୋଗରେ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ତଥା ଜୀବନ ଜୀବିକାର ସାମଗ୍ରିକ ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କାର୍ଯ୍ୟକାରୀ ହେବା ବିଷୟରେ ସେ ଉପସ୍ଥିତ ଅଞ୍ଚଳବାସୀଙ୍କୁ ସୂଚନା ଦେଇଥିଲେ । ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ଆତ୍ମୀୟତା ଓ ସହ ଭାଗିତାର ନିରନ୍ତର ଆବଶ୍ୟକତା ବିଷୟରେ ଶ୍ରୀ ରାଓ ଗୁରୁତ୍ଵ ଆରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍ର ସାମାଜିକ ଦାୟିତ୍ଵବୋଧ ରାଜ୍ୟ ମୁଖ୍ୟ ଜିତେନ୍ଦେର ଘନଗାସ, ମହାଶକ୍ତି ଫାଉଣ୍ଡେସନ୍ର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ, ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ସେଠୀ, ପ୍ରକଳ୍ପ ପରିଚାଳକ ଫିରୋଜ କୁମାର, ବ୍ଲକ୍ ସଂଯୋଜକ ହାରାଧନ ବରିହା, ଭଗ୍ୟଶ୍ରୀ ରାଉତ, ସହଯୋଗୀ ଶ୍ରୀମତୀ ନିହାରିକା ଶତପଥୀ, ବରତୁଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରିତା ସୁନା, ୱାର୍ଡ ମେମ୍ବର ବୃନ୍ଦ, ବିଭିନ୍ନ ସ୍ୱୟଂ ସହାୟକ ଦଳର ସଦସ୍ୟା ସହ ମୋଟ ୧୦୦ରୁ ଅଧିକ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ ।