ଫକୀର ମୋହନଙ୍କ ତିରୋଧାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଦ୍ୱାରା ଓଡିଆ ଭାଷା ସାହିତ୍ୟର ରକ୍ଷକ ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ମଞ୍ଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ମୁଖ୍ୟ ଅତିଥି, ଡ. ସୁମନ ଦତ୍ତ ଓ ସାହିତ୍ୟିକ ନୃସିଂହ ଚରଣ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂକ୍ରାନ୍ତି ପୁରୁଷଙ୍କ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ବ୍ୟାସକବି ଫକୀରମୋହନ ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ ସୁନାମଧନ୍ୟ ସ୍ରଷ୍ଟା । ଏହା ସହ ତାଙ୍କୁ ଓଡ଼ିଆ ସାହିତ୍ୟର ଯୁଗ ନିର୍ମାତା, ଦେଶ ହିତୈଷୀ, ଉତ୍କଳ ପ୍ରାଣ, ସମାଜ ସଂସ୍କାରକ, ନବ ଉତ୍କଳର ନିର୍ମାତା, ସୁଦକ୍ଷ ଔପନ୍ୟାସିକ, କଥା ସମ୍ରାଟ ତଥା ଭାଷା ସାହିତ୍ୟର ଭଗୀରଥ ବୋଲି ଅବହିତ କରିଥିଲେ । ସମାଜ ସ୍ୱୀକୃତି କଥା ବସ୍ତୁକୁ ନେଇ ଘଟଣା ବିନ୍ୟାସ କରିବା ସହିତ, ସଠିକ ଚରିତ୍ର ଚିତ୍ରଣ କରିବାରେ ସେ ଥିଲେ ଦକ୍ଷ ବିନ୍ଧାଣୀ । ଦେଶରେ ଗାଉଁଲି ଭାଷାକୁ ସାହିତ୍ୟର ମର୍ଯ୍ୟାଦା ଦେଇ ନୂତନ ପରମ୍ପରାରେ ସର୍ବ ଜନାଦୃତ ସାହିତ୍ୟ ସୃଷ୍ଟି କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ସାହିତ୍ୟିକ । ପ୍ରାରମ୍ଭରେ ସମ୍ପାଦକ ଶ୍ରୀ ମହାପାତ୍ର ଫକୀର ମୋହନଙ୍କ ଜୀବନାଦର୍ଶ ଓ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ପତି ସଭାପତିତ୍ୱ ଅଭିଭାଷଣରେ କହିଲେ ଯେ ଫକୀର ମୋହନ କେବଳ ଭାଷା ପ୍ରେମୀ ନଥିଲେ, ସେ ଥିଲେ ଜାତିପ୍ରେମୀ ଆଉ ଦେଶପ୍ରେମୀ । ତାଙ୍କର ମୂଳମନ୍ତ୍ର ଥିଲା ସାହିତ୍ୟ ମାଧ୍ୟମରେ ଜାତୀୟତାବାଦର ଜାଗରଣ ତୋଳିବା ସହିତ କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଦୂର କରିବା । ତେବେ ବ୍ୟାସଦେବଙ୍କ ଭାଷା ସାହିତ୍ୟକୁ ଅବଦାନ ତାଙ୍କୁ ଚିରସ୍ମରଣୀୟ କରି ରଖିଛି । ଅତିଥି ମାନଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସାମଲ, ଅଶୋକ କୁମାର ପଟ୍ଟନାୟକ, ସୁଶାନ୍ତ କୁମାର ନାୟକ, ଗଙ୍ଗାଧର ପୁହାଣ, କୁଞ୍ଜବିହାରୀ ରାଉତ, ଇନ୍ଦ୍ରମଣି ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଫକୀର ମୋହନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.