ଛତ୍ରପୁରସ୍ଥ ରାମଚଣ୍ଡୀ ପୀଠରେ ୧୦୮- ସପ୍ତଶତୀ ଚଣ୍ଡୀ ପାରାୟଣ ନିମନ୍ତେ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ଜୁଲାଇ ୨୧ତାରିଖ (ରବିବାର) ପବିତ୍ର ବ୍ୟାସ ଗୁରୁ-ପୂର୍ଣ୍ଣମୀ ଅବସରରେ ଛତ୍ରପୁରସ୍ଥ ମା’ ରାମଚଣ୍ଡୀଙ୍କ ପୀଠରେ ୧୦୮-ସପ୍ତଶତୀ ଚଣ୍ଡୀ ପାରାୟଣ ଆୟୋଜନ ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଛି । ନିମନ୍ତ୍ରିତ ବିଜ୍ଞ ପ୍ରାଜ୍ଞ ବୈଦିକ ବ୍ରାହ୍ମଣ ବିଦ୍ୱାନ ମାନଙ୍କଦ୍ୱାରା ଶ୍ରୀଚଣ୍ଡୀ ପାରାୟଣ, ଚଣ୍ଡୀ ହବନାଦି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଶାସ୍ତ୍ରୀୟ ଏବଂ ବୈଦିକ ରୀତିନୀତିରେ ବିଧିବଦ୍ଧ ଭାବେ ଅନୁଷ୍ଠିତ ହେବ ବୋଲି କମିଟି ସଂଯୋଜକ କମଲ ପଣ୍ଡା ଜଣାଇଛନ୍ତି । ଏତଦ୍ ବ୍ୟତିତ ଗୋ-ପୂଜନ, ବିପ୍ରାର୍ଚ୍ଚନ, ଶ୍ରୀରୁଦ୍ର ଚମକନମ – କାନୁଷ୍ଠାନ, ଅନ୍ନ – ଯଜ୍ଞାଦି ଯଥାରୀତିରେ ସମାହିତ ହେବ ବୋଲି ପୂଜା କମିଟି ଓ ମନ୍ଦିର ଟ୍ରଷ୍ଟି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି । ଏହି ଦୁର୍ଲଭ ଆଧ୍ୟାତ୍ମିକ ଅନୁଷ୍ଠାନରେ ଇଛୁକ ଭକ୍ତମାନେ ଅଂଶୀଦାର ହେବାକୁ ଚାହୁଁଥିଲେ, କମିଟି ସଂଯୋଜକ କମଲ କୁମାର୍ ପଣ୍ଡା ୭୦୦୮୬୯୧୯୫୫, ୯୪୩୯୬୮୧୨୨୩ ଏହି ଫୋନ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ’ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୭ କିମି ଦୂରରେ ଅବସ୍ଥିତ ଗଞ୍ଜାମ ବ୍ଲକ୍ କରପଡା ଗ୍ରାମପଞ୍ଚାୟତର ପୂଣ୍ୟତ୍ତୋୟା ଋଷିକୂଲ୍ୟା ତୀରେ ନିଳାଦ୍ରୀପୁର ଗ୍ରାମର ଧଡା ପାହାଡ଼ ଶୀର୍ଷରେ ଅବସ୍ଥାନ କରିଥିବା ମା’ ରାମଚଣ୍ଡୀ ଯୁଗେ ଯୁଗେ ପୂଜିତ ଓ ବିଖ୍ୟାତ ଲାଭ କରି ଜନମାନସକୁ ଶୁଭ ଦୃଷ୍ଟିରେ ଚାହିଁ ରହିଛନ୍ତି । ଅଦ୍ୟାବଧି ଏହି ପବିତ୍ର ପୀଠକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହୋଇଛି । ହେଲେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଅଣଦେଖାରେ ଓ ଆଡୁଆଳରେ ରହିଯାଇଛି । ତଥାପି ରାମଚଣ୍ଡୀ ମନ୍ଦିରର ଟ୍ରଷ୍ଟ ଓ ପୂଜା କମିଟି ପକ୍ଷରୁ ଅହରହ ଉଦ୍ୟମ ଓ ସଂଗ୍ରାମ ଜାରି ରହିଛି । ମନ୍ଦିରର ପୁନଃ-ନିର୍ମାଣ ହୋଇ ପୁନଃ-ପ୍ରତିଷ୍ଠା, ନବଦିନାତ୍ମକ ବର୍ଣ୍ଣାଢ଼୍ୟ ଯଜ୍ଞାନୁଷ୍ଠାନ ଉତ୍ସବ ସମାରୋହର ବ୍ୟାପକଭରା ଆୟୋଜନ ଓଡ଼ିଶାରେ ଏକ ପରିଚିତ ଅଧ୍ୟାୟ ସୃଷ୍ଟି କରିଛି । ରାମଚଣ୍ଡୀ ଟ୍ରଷ୍ଟ ତରଫରୁ ସ୍ଵାସ୍ଥ୍ୟ କ୍ୟାମ୍ପ, ଜାତୀୟ ସେବା ଶିବିର, ବୃକ୍ଷ ରୋପଣ ଆଦି କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଭୂମିକା ନିର୍ବାହ କରି ଆସି କମିଟିର ସ୍ଵେଚ୍ଛାସେବୀ ଗୋଷ୍ଠୀ ସମାଜରେ ଭୂୟସୀ ପ୍ରଶଂସା ସାଉଁଟିଛନ୍ତି ।

Leave A Reply

Your email address will not be published.