ଅମୃତ ଭାଣ୍ଡ ପୂରିଥିଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅମୃତ ଭାଣ୍ଡ ପୂରିଥିଲା, ବିଷ ଟୋପାକେ ନାଶଗଲା । ଏଭଳି ପରିସ୍ଥିତିର ସାମ୍ନା କଲା କି ବିଜେଡି ? ଦୀର୍ଘ ପାଞ୍ଚ ପାଳିର ଶାସନ କାଳରେ ଜଣେ ଚାଲେଞ୍ଜ ବିହୀନ ମୁଖ୍ୟମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ । କିନ୍ତୁ ଏକା ବେଳକେ ସବୁ ଓଲଟ ପାଲଟ ହୋଇଗଲା । ଦଳ କଥା ଛାଡ଼ନ୍ତୁ, କେବେ ବି ପରାଜିତ ହୋଇ ନଥିବା ନବୀନଙ୍କୁ ଗୋଟିଏ ଆସନରେ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା । ବିଜେଡିର ନେତାମାନେ ବି ଏ କଥା କହୁଛନ୍ତି ଖୋଲାମେଲା । ବିଜେପିର ଘନ ଘନ ପ୍ରଚଣ୍ଡ ଟାର୍ଗେଟ ପରେ ବି ଭି. କେ. ପାଣ୍ଡିଆନ୍ ହୀରୋ ହେବା ନିଶା ଛାଡ଼ିଲେ ନାହିଁ । ବିଜେଡିରେ ଷ୍ଟାର ପ୍ରଚାରକଙ୍କ ଅଭାବ ନଥିଲେ ବି ନିଜେ ନିଜେ ପ୍ରଚାର ମଇଦାନରେ ହୀରୋ ସାଜିଲେ । ତୁହାକୁ ତୁହା ଓଡ଼ିଆ ଅସ୍ମିତା ଓ ପାୱାର୍‌ ହାଇଜାକ୍‌କୁ ନେଇ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ରାଜ୍ୟ ନେତାମାନେ ପ୍ରହାର କରୁଥିବା ବେଳେ ଖଣ୍ଡି ଓଡ଼ିଆରେ ଭାଷଣ ଦେଇ ଘନ ଘନ ପ୍ରଚାର ଚଳାଇଲେ, ଯାହା ବିଜେପିକୁ ସମାଲୋଚନା କରିବା ପାଇଁ ଆହୁରି ସୁଯୋଗ ସୃଷ୍ଟି କଲା । ବିଜେଡି ବିପର୍ଯ୍ୟୟର ଏହା ଏକ ପ୍ରମୁଖ କାରଣ ହୋଇପାରେ ବୋଲି ରାଜନୀତି ଜଗତରେ ଆଲୋଚନା ହେଉଥିଲେ ବି ଏବେ ବିଜେଡି ବିପର୍ଯ୍ୟୟ ପଛରେ କ’ଣ ସବୁ କାରଣ ରହିଛି, ଏ ଦିଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତାମାନେ ତର୍ଜମା କରୁଛନ୍ତି । ଅନ୍ୟ ପକ୍ଷରେ ବିଜେଡି ନେତାମାନଙ୍କ ମଧ୍ୟରେ ରହିଥିବା ଓଭର୍‌ କନ୍‌ଫିଡେନ୍ସ ମଧ୍ୟ ବିଜେଡି ଗାଦିଚ୍ୟୁତ ହେବାର ପ୍ରମୁଖ କାରଣ ହୋଇପାରେ ବୋଲି କୁହାଯାଉଛି । ସେ ଯାହା ବି କାରଣ ଥାଉ ନାଁ କାହିଁକି, ଜନତା ଜନାର୍ଦ୍ଦନଙ୍କ ପ୍ରଚଣ୍ଡ ଜନାଦେଶ ବିଜେଡି ହାତରୁ ଶାସନ ଡୋରି ଛଡ଼ାଇ ନେଇଛି । ବିକଳ୍ପ ଖୋଜିଛି । ଏବେ ବିଜେପି ହାତରେ ଓଡ଼ିଶାର ଶାସନ ଭାର, ବିଜେପି ନିଜ ନୀତି ଆଦର୍ଶକୁ ନେଇ ବିକଶିତ ଓଡ଼ିଶା ପାଇଁ ପରବର୍ତ୍ତୀ ଯୋଜନା କରିବ ।

Leave A Reply

Your email address will not be published.