jayashree

ଏଚ୍‌ଏମ୍‌ଏସ୍‌ର ନେତୃତ୍ୱରେ ଏସ୍‌ବିଆଇ କାର୍ଯ୍ୟରତ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ସମସ୍ୟା ନେଇ କେନ୍ଦ୍ରୀୟ ଶ୍ରମ କମିଶନର୍‌ଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷୀକ ଆଲୋଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ବର୍ଷରେ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ମଧ୍ୟରେ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍‌ବିଆଇ) ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି ବ୍ୟବସାୟୀକ ବ୍ୟାଙ୍କ ବାର୍ଷିକ ହଜାର ହଜାର କୋଟି ଟଙ୍କା ଲାଭ କରୁଥିଲେ ମଧ୍ୟ ଏହି ବ୍ୟାଙ୍କ ଅଧିନରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ଅତି ନଗଣ୍ୟ ହୋଇଥିବାରୁ ଏହି ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ହିନ୍ଦୀ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌) ଓଡ଼ିଶା ରାଜ୍ୟ ଶାଖା ଉପସଭାପତି ରବି ରଥ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଶ୍ରମ ବିଭାଗର ଡେପୁଟି ଶ୍ରମ କମିଶନର ପି. କେ ରଣାଙ୍କ ଉପସ୍ଥିତିରେ ବ୍ୟାଙ୍କ କର୍ତ୍ତୃପକ୍ଷ, ଏସ୍‌ବିଆଇର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟ ପରିଚାଳକ ପ୍ରଶାନ୍ତ କୁମାର ପଣ୍ଡା, ସ୍ୱାଗତ ପାଢ଼ୀ, ଏଚ୍‌ଏମ୍‌ଏସ୍‌ର ଉପସଭାପତି ରବି ରଥ ଓ ଆଉଟସୋର୍ସିଂ କର୍ମଚାରୀଙ୍କ ଉପସ୍ଥିତିରେ ତ୍ରିପାକ୍ଷୀକ ଆଲୋଚନା ହୋଇଥିଲା । ଆଲୋଚନା ବେଳେ ଶ୍ରମ ବିଭାଗ ଅଧିକାରୀ ଶ୍ରୀ ରଣା ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ନିଯୁକ୍ତି ଦେଇଥିବା ସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଚୁକ୍ତିନାମା ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଂଗଠନକୁ ପରାମର୍ଶ ଦେଇଥିଲେ ଏବଂ କର୍ମଚାରୀ ସଂଗଠନକୁ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କର୍ମଚାରୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ଏ ସମ୍ପର୍କରେ ସଂଗଠନ ପକ୍ଷରୁ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଶ୍ରମିକମିଶନ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିଗୁଡ଼ିକ ମଧ୍ୟରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ସର୍ବନିମ୍ନ ମାସିକ ୩୦ ହଜାର ପାରିଶ୍ରମିକ ପ୍ରଦାନ, କର୍ମଚାରୀଙ୍କୁ ସିଧାସଳଖ ବ୍ୟାଙ୍କ ଜରିଆରେ ପ୍ରାପ୍ୟ ପ୍ରଦାନ, ଠିକା ସଂସ୍ଥାର ମାଲିକମାନଙ୍କ କବଳରୁ ମୁକ୍ତ କରାଯିବା, ସମାନ କାମକୁ ସମାନ ଦରମା, ଏସ୍‌ବିଆଇ ଶାଖାମାନଙ୍କରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଦରମା ଗୋଟିଏ ପ୍ରକାର ନିର୍ଦ୍ଧାରଣ କରାଯିବା, ଓଡ଼ିଶାର ୪ଟି ମ୍ୟୁନିସିପାଲ କର୍ପୋରେସନ୍‌ରେ କାର୍ଯ୍ୟରତ ଏସ୍‌ବିଆଇ ଆଉଟସୋର୍ସିଂ କର୍ମଚାରୀମାନଙ୍କ ଏକ ପ୍ରକାର ପ୍ରାପ୍ୟ ପ୍ରଦାନ କରାଯାଉ, ଶୃଙ୍ଖଳିତ ଓ ସଠିକ୍‌, ତାରିଖରେ ଇପିଏଫ୍‌ ଏବଂ ଇଏସ୍‌ଆଇ ପ୍ରାପ୍ୟରୁ କଟାଯିବା ପାଇଁ ସମସ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଉ, ପ୍ରତି ମାସରେ ଦରମା ପ୍ରଥମ ସପ୍ତାହ ମଧ୍ୟରେ ପ୍ରଦାନ କରାଯାଉ, ଠିକା ସଂସ୍ଥା ଜରିଆରେ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ଝାଡ଼ୁଦାର (ସଫେଇ କର୍ମଚାରୀ) ଭାବେ ନିଯୁକ୍ତି ଦିଆଯାଉଥିବା ବେଳେ ବ୍ୟାଙ୍କର ମେସେଞ୍ଜର ସହିତ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଉଛି । ତେଣୁ ଏହା ପାଇଁ ଅଧିକା କିଛି ପ୍ରାପ୍ୟ ପ୍ରଦାନ କରାଯାଉ ଇତ୍ୟାଦି ଉଲ୍ଲେଖ ରହିଛି । ଆଲୋଚନା ବେଳେ ଆଉଟ୍‌ସୋର୍ସିଂ କର୍ମଚାରୀ ସଂଗଠନ ପକ୍ଷରୁ ଗୁନାର ମହାନନ୍ଦ, ଉପେନ୍ଦ୍ର ଭୋଇ, ଦେବରାଜ ମଲ୍ଲୀକ, ଦ୍ୱାରିକା ନାୟକ, ଘନଶ୍ୟାମ ସଟ୍ଟଙ୍କ ସମେତ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.