ବିବାହର ପାଞ୍ଚ ମାସ ପରେ ନବବଧୂ ବେକରେ ଫାଶୀ ଲଗେଇ ଆତ୍ମହତ୍ୟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ନିଜର ମାନସିକ ଭାରସାମ୍ୟ ହରାଇ ବାପଘରେ ଥିବା ସମୟରେ ଜଣେ ନବବଧୂ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏପରି ଆଭାବନୀୟ ଘଟଣା ଘଟିଛି ଖପ୍ରାଖୋଲ ଥାନା ପଡ଼ିଆବାହାଲ ପଞ୍ଚାୟତ ଭରୁଆମୁଣ୍ଡା ଗ୍ରାମରେ ସେହି ଗ୍ରାମର ମୁରଲୀ ଭୁଏଙ୍କ କନ୍ୟା ମୀନାରାଣୀ ଭୁଏ ଗତ ପାଞ୍ଚ ମାସ ତଳେ ଗମ୍ଭାରୀ ଗ୍ରାମର ଡିଲେ ମଲ୍ଲିକଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ପୁଅ ଘର ଲୋକ ଜାଣିବାକୁ ପାଇଥିଲେ ଯେ, ଝିଅର ମାନସିକ ସ୍ଥିତି ଠିକ୍‌ ରହୁନାହିଁ, ସେ ସବୁବେଳେ ଅନ୍ୟମନସ୍କ ରହୁଥିଲେ । ସ୍ୱାମୀ ଡିଲେ ଏବଂ ତାଙ୍କ ପରିବାର ମୀନାକୁ ତାଙ୍କ ନିଜ ଘର ଭରୁଆମୁଣ୍ଡାରେ ସାମାଜିକ ଲୋକଙ୍କ ସାମ୍ନା ଘରେ ଛାଡ଼ିଦେଇ ଫେରିଆସିଥିଲେ । ଗତକାଲି ବୁଧବାର ସକାଳୁ ମୀନା ଘରଭିତରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ପରିବାର ଲୋକ ଖପ୍ରାଖୋଲ ଥାନାକୁ ଖବର କରିଥିବା ବେଳେ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା । ଏନେଇ ଖପ୍ରାଖୋଲ ଥାନା ୟୁ ଡି କେସ ନଂ ୬/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି । ପାରିବାରିକ ସମସ୍ୟା, ବୈବାହିକ ସମସ୍ୟା, ମାନସିକ ସମସ୍ୟା କିମ୍ବା ପ୍ରେମ ଜନିତ ସମସ୍ୟାକୁ ନେଇଁ ଆତ୍ମହତ୍ୟା ହାର ବଢ଼ିବାରେ ଲାଗିଛି ଏହି ବିଷୟରେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟଚିକିତ୍ସା ଅଧିକାରୀ ଡାକ୍ତର ସୁରଜ ଦୀପଙ୍କୁ ପଚାରିବାରୁ ବିବାହିତ ଦମ୍ପତି ପାରିବାରିକ ସମସ୍ୟା ତଥା ପାରିବାରିକ କଳହରେ ଏତେ ଛନ୍ଦି ହୋଇପଡ଼ୁଛନ୍ତି ଯେ, ଆତ୍ମହତ୍ୟା ଭଳି ପନ୍ଥା ଆପଣାଇବାକୁ ବାଧ୍ୟ ହେଉଛନ୍ତି । ମନୁଷ୍ୟର ଚେତନା ଯଦି ବ୍ୟକ୍ତିକୈନ୍ଦ୍ରିକ ଓ ଆକାଶଚୁମ୍ବୀ ଆଶା ସହିତ ଜଡ଼ିତ ହୁଏ, ତେବେ ତା’ର ଚେତନା ଦେହ, ମନ, ଇନ୍ଦ୍ରିୟ, ବୁଦ୍ଧି ଭଳି ନିମ୍ନ ସ୍ତରରେ ଅଟକିଯିବା ସାର ହେବ, ଯେଉଁଠି ନୈରାଶ୍ୟ ଓ ମାନସିକ ଚାପ କବଳରେ ପଡ଼ିଯାଇ ଆତ୍ମହତ୍ୟାର ଶିକାର ହେବା ସହଜ ହେବ । ମୋଟ ଉପରେ କହିବାକୁ ଗଲେ, ପ୍ରତ୍ୟେକ ମନୁଷ୍ୟ ଆସ୍ତିକ ହେଉ ବା ନାସ୍ତିକ, ବୁଝିବା ଉଚିତ୍‌ ଯେ’ ଜଡ଼ ଓ ଚେତନା ସମ୍ମିଶ୍ରିତ ଜୀବନ ପ୍ରକୃତିର ଏକ ଅବଦାନ, ଯାହାକୁ ସଫଳତା ଓ ବିଫଳତାର ଦ୍ୱାହିଦେଇ ଜୀବନକୁ ନଷ୍ଟ କରିବାର ଅଧିକାର ନାହିଁ । ଆଜିର ଶିକ୍ଷା ପ୍ରଣାଳୀରେ ଏପରି ଦାର୍ଶନିକ ଭାବଧାରା ସାମିଲ୍‌ ହେବା ଉଚିତ୍‌ ବୋଲି ମତପ୍ରକାଶ କରିଥିଲେ ।

Leave A Reply

Your email address will not be published.