ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତରଫରୁ ରିପିଟ୍ ପ୍ରାର୍ଥୀ ତଥା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ମିଳିତ ପ୍ରଚାର ଆରମ୍ଭ ହୋଇଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରମ୍ଭା, ଗଞ୍ଜାମ ଓ ଛତ୍ରପୁର ଏନ୍.ଏ.ସି. ଅଞ୍ଚଳରେ ରବିବାର ପ୍ରଚାର ଅଭିଯାନରେ ବୁଲି ବାହାରିଥିଲେ । ରବିବାରଠାରୁ ଆନୁଷ୍ଠାନିକ ଭାବେ ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ମିଳିତ ବିଜେଡି ଦଳ ନିଜର ଦବଦବା ପ୍ରଦର୍ଶନ କରିଛନ୍ତି । ଛତ୍ରପୁରରେ ବିଜେଡ଼ିର ଅସ୍ଥାୟୀ ପାର୍ଟି କାର୍ଯ୍ୟାଳୟର ଆନୁଷ୍ଠାନିକ ଉଦ୍ଘାଟନ କରି ଆୟୋଜିତ ସଭାମଞ୍ଚରେ ଏହି ଦୁଇ ନେତ୍ତୃତ୍ୱଧାରୀ ଦଳୀୟ ଦବଦବାର ମହତ୍ତ୍ଵ ପ୍ରତିପାଦନ କରିଥିଲେ ଏବଂ ଆମ୍ଭର ବିଜୟ ସୁନିଶ୍ଚିତ ହେବ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ । ଛତ୍ରପୁର ପୌରଉପାଧ୍ୟକ୍ଷ ଜି. ପାପା ରାଓ ଯୋଗଦେଇ ଆଗମୀ ନିର୍ବାଚନରେ ଷଷ୍ଠଥର ପାଇଁ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାର ଆଶା ରହିଛି । ଏହା ଆମ ଦଳର ସଂକଳ୍ପ ବୋଲି କହିଥିଲେ । ଉପସ୍ଥିତ ସୁଧିବୃନ୍ଦଙ୍କୁ ଡବଲ୍ ଇଭିଏମ୍ ମେସିନ୍ରେ ଦୁଇ ପଟେ ଯୋଡ଼ା ଶଙ୍ଖ ଚିହ୍ନରେ ମୋହର ଦେବାକୁ ସମସ୍ତଙ୍କୁ ଆହ୍ୱାନ କରି ଉପସ୍ଥିତ ସଭିଙ୍କୁ ସାଧୁବାଦ ଓ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।