ଅନ୍ଧାରରୁ ଆଲୋକ ପଥରେ ଶହେ ବର୍ଷର ଭିତର ପଣ୍ଡି ଗାଁ

ଜୟପାଟଣା, (ଶେଷ ଦେବ ବେହେରା) : ଭୌଗୋଳିକ ପ୍ରତିବନ୍ଧକ ମଧ୍ୟରେ ଏକ ଶତାବ୍ଦୀ ଧରି ଦୟନୀୟ ଜୀବନ ଯାତ୍ରା କରି ଆସୁଥିବା ଭିତର ପଣ୍ଡିଗାଁ ପାଇଁ ଏବେ ସାମାନ୍ୟ ଆଶାର ଆଲୋକ ଦେଖାଦେଇଛି । ଗାଁକୁ ସଭ୍ୟତାର ମାନଚିତ୍ରରୁ ଦୂରେଇ ରଖିଥିବା ହାତୀ ନଦୀ ଉପରେ ସୁଉଚ୍ଚ ସେତୁ ନିର୍ମାଣ ସାଙ୍ଗକୁ ଗାଁକୁ ସଂଯୋଗ କରିବା ପାଇଁ ପାଞ୍ଚ କିଲୋମିଟର ସଡକ ନିର୍ମାଣ ସକାଶେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକ୍ରିୟାକୁ ଚୂଡାନ୍ତ କରିଥିବା ବେଳେ ଲୋକଙ୍କ ମଧ୍ୟରେ ଏବେ ସାମାନ୍ୟ ଆଶା ସଂଚାର ହୋଇଥିବା ଆଜି ଆମ ପ୍ରତିନିଧି ଦେଖିବାକୁ ପାଇଛନ୍ତି । ଏହି ପ୍ରସ୍ତାବିତ ପୋଲ ଓ ସଡକ ନିର୍ମାଣ ପାଇଁ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଷାରୀ ନିର୍ଦ୍ଧାରିତ ସ୍ଥାନରେ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବାର ସୂଚନା ମିଳିଛି । ଜୟପାଟଣା ବ୍ଲକର ଏକ ଦୁର୍ଗମ ଅଞ୍ଚଳ ଭାବରେ ନିଜର ଭୌଗୋଳିକ ପରିଚୟ ରଖି ଆସିଥିବା ଧନସୁଲୀ ପଞ୍ଚାୟତର ଭିତର ପଣ୍ଡି ଏକ ଆଦିବାସୀଙ୍କ ଗାଁ । ଗାଁ ସ୍ଥାପନାର ଶହେ ବର୍ଷ ବିତିଯାଇଥିଲେ ମଧ୍ୟ ଏଠିକାର ନିର୍ବାକ ମଣିଷମାନଙ୍କ କୋହକୁ କେହି ବୁଝିବା ପାଇଁ ଆଶୁ ନ ଥିଲେ । ୨୦୧୦ମସିହାରୁ ନିର୍ଦ୍ଧିଷ୍ଟ କିଛି ସାମ୍ବାଦିକ ଏମାନଙ୍କ ସମସ୍ୟା ଓ ଦୈନନ୍ଦିନ ଜୀବନ ଯାତ୍ରାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ କଲା ପରେ ପ୍ରଶାସନ ସଚେତନ ହୋଇ ପାରିଥିଲା । ଆଜିବି ଗାଁରେ ପାଠୁଆ କେହି ନ ଥିବାର ଲୋକେ ପ୍ରକାଶ କରନ୍ତି । ପାନୀୟ ଜଳ, ଚାଲିବା ପାଇଁ ସଡକ, ସମସ୍ତଙ୍କ ପାଇଁ ଆବାସ ଯୋଜନା, ସ୍ଵାସ୍ଥ୍ୟ ସେବା, ଆଦି ସମ୍ବେଦନଶୀଳ ଆବଶ୍ୟକତା ଅପହଞ୍ଚ ଥାଇ ମଧ୍ୟ ଲୋକେ ସେସବୁକୁ କେବେ ହେଲେ ଗୁରୁତ୍ୱ ଦେଇନଥିଲେ । କେବଳ ପ୍ରକୃତି ଓ ନଦୀ ସଭ୍ୟତା ଉପରେ ବିଶ୍ୱାସ ରଖି ଦିନେ ନା ଦିନେ ଆମ ଗାଁ ପାଇଁ ବିକାଶ ଆସିବ ବୋଲି ଦୃଢ ନିଶ୍ଚିତ ଥିଲେ । ପରିଶେଷରେ ସେହି ସମୟ ଆସିଲା । ୫.୪୮କୋଟି ଟଙ୍କା ବିନିମୟରେ ସଡକ ଓ ଉଚ୍ଚତା ସମ୍ପର୍ଣ୍ଣ ସେତୁ ନିର୍ମାଣ ହୋଇ ଭିତର ପଣ୍ଡିି ଗ୍ରାମକୁ ସଂଯୋଗ କରିବ । ଜୟପାଟଣା ବ୍ଲକର ଅନ୍ତିମ ସୀମାନ୍ତରେ ଅବସ୍ଥିତ ଏହି ଗାଁ ଜୀବନ ଦାୟିନୀ ହାତୀ ନଦୀର କଳାହାଣ୍ଡି ସୀମାନ୍ତରେ ପ୍ରଥମ ପରସ ପାଇଛି । ଶହେ ବର୍ଷ ତଳେ ଏହି ଗାଁକୁ ଅନ୍ଧାରୁ ମାଝୀ ବସାଇ ଥିବା ବେଳେ ଏବେ ତାଙ୍କର ନାତି ମଧ୍ୟ ସେହି ଆନ୍ଧାରୁ ନାମରେ ଗାଁରେ ପରିଚୟ ରଖି ବିକାଶକୁ ସ୍ୱପ୍ନ ମାଧ୍ୟମରେ ଦେଖି ଆସୁଛନ୍ତି । ଆଜିର ସେତୁ ନିର୍ମାଣ ପାଇଁ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଭିତ୍ତି ପ୍ରସ୍ତର ସ୍ଥାପନ ଶହେ ବର୍ଷ ଧରି ଅକୁହା ସ୍ବପ୍ନ ଦେଖି ଆସୁଥିବା ଗାଁ ଲୋକଙ୍କ ପାଇଁ କେବେ ବିକାଶର ଆଲୋକ ଦେଖେଇବ ତାହା ଏବେ ଦେଖିବାର ବେଳ ଆସିଛି ।

Leave A Reply

Your email address will not be published.

2 + eleven =