jayashree

୫-ଟି ଉପକ୍ରମରେ ନିର୍ମିତ ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

  • ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବାବା ସାହେବଙ୍କ ପ୍ରତି ଓଡିଶାବାସୀଙ୍କ ଶ୍ରଦ୍ଧାଞ୍ଜଳି
  • ବାବା ସାହେବଙ୍କ ଅବଦାନ ସମ୍ପର୍କରେ ସଚେତନ କରିବା ପାଇଁ ତାଙ୍କ ଜୀବନ ଓ ଆଦର୍ଶ ଉପରେ ଆଧାରିତ ସ୍ୱତନ୍ତ୍ର ଗ୍ୟାଲେରୀ ସ୍ଥାନୀତ
  • ଏୟାରପୋର୍ଟ ଭଳି ମିଳିବ ସୁବିଧା ସୁଯୋଗ
  • ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିକଶିତ
  • ଭୁବନେଶ୍ୱରର ଏକ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ହେବ ଏହି ବସ୍‌ ଟର୍ମିନାଲ
  • ସାରା ଓଡିଶାକୁ ଦେବ ନୂଆ ପରିଚୟ
  • ବସ୍‌ ଟର୍ମିନାଲର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବରମୁଣ୍ଡାଠାରେ ୫-ଟି ଉପକ୍ରମରେ ନବନିର୍ମିତ ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲର ଶୁଭ ଉଦ୍‌ଘାଟନ କରିଛନ୍ତି । ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସ୍‌ଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସ୍‌ଷ୍ଟାଣ୍ଡ । ଦୈନିକ ଶହ ଶହ ବସ୍‌ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ଯାତାୟତ ହୋଇଥାଏ । ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବରମୁଣ୍ଡା ବସ୍‌ଷ୍ଟାଣ୍ଡର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହା ଅତ୍ୟାଧୁନିକ ବସ୍‌ ଟର୍ମିନାଲର ବିକାଶ କରାଯାଇଛି । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶ୍ରୀ ପାଣ୍ଡିଆନ ଅନେକ ଥର ନିର୍ମାଣ ସ୍ଥଳକୁ ଯାଇ କାର୍ଯ୍ୟର ଆଗ୍ରଗତି ସଂପର୍କରେ ସମୀକ୍ଷା କରୁଥିଲେ । ଉଦ୍‌ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବସ୍‌ ଟର୍ମିନାଲ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବାରେ ସଫଳ ହେବ ଏବଂ ଭୁବନେଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ହୋଇ ରହିବା ସହିତ ସାରା ଓଡିଶାରେ ଏକ ନୂଆ ପରିଚୟ ହେବ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆମ ସମ୍ବିଧାନ ପ୍ରସ୍ତୁତ କରିବାରେ ବାବା ସାହେବ ଭୀମ୍‌ରାଓ ଆମ୍ବେଦକରଙ୍କ ମୁଖ୍ୟ ଭୂମିକା ରହିଥିଲା । ଭାରତୀୟ ସମ୍ବିଧାନର ପ୍ରଣେତା ଭାବେ ସେ ଜଣାଶୁଣା । ଦେଶ ପାଇଁ ତାଙ୍କ ଅବଦାନକୁ ସମ୍ମାନ ଜଣାଇ ତାଙ୍କ ନାମରେ ଏହି ବସ୍‌ ଟର୍ମିନାଲ ଓଡିଶା ସରକାର ନାମିତ କରିଛନ୍ତି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବାବା ସାହେବଙ୍କ ପ୍ରତି ଓଡିଶାବାସୀଙ୍କ ଏହା ହେଉଛି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ବାବା ସାହେବଙ୍କ ଅବଦାନ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବସ୍ ଟର୍ମିନାଲ ଭିତରେ ବାବା ସାହେବଙ୍କ ଜୀବନ ଓ ଆଦର୍ଶ ଉପରେ ଆଧାରିତ ଏକ ଗ୍ୟାଲେରୀ ମଧ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ୫-ଟି ଉପକ୍ରମରେ ହୋଇଥିବା ଏହି ବସ୍‌ ଟର୍ମିନାଲ ବସ୍‌ ମାଲିକ, ବ୍ୟବସାୟୀ, ଯାତ୍ରୀ ତଥା ସମସ୍ତ ଜନସାଧାରଣଙ୍କ ସହଯୋଗରେ ନିର୍ମିତ ହୋଇଛି । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ସେଥିପାଇଁ ଧନ୍ୟବାଦ ଜଣାଇ କହିଥିଲେ ଯେ ଏହି ବସ୍‌ ଟର୍ମିନାଲରେ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି । ଏଠାରେ ଜରୁରୀ କାଳୀନ ଚିକିତ୍ସାଠାରୁ ଆରମ୍ଭ କରି ବ୍ୟବସାୟିକ କମ୍ପ୍ଲେକ୍ସ, ଏସ୍କାଲେଟର, ଲିଫ୍ଟ, ପ୍ରତିକ୍ଷାଳୟ, ପୋଲିସ୍‌ ଫାଣ୍ଡି, ଡ୍ରାଇଭରମାନଙ୍କ ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ଫୁଡ୍ କୋର୍ଟ ଆଦି ସମସ୍ତ ସୁବିଧା ରହିଛି । ଏୟାରପୋର୍ଟ ଭଳି ଯାତ୍ରୀମାନେ ଏଠାରେ ସବୁ ସୁବିଧା ପାଇ ପାରିବେ ବୋଲି ସେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଏହି ବସ୍‌ ଟର୍ମିନାଲର ଉପଯୁକ୍ତ ରକ୍ଷଣାବେକ୍ଷଣରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ପତାକା ଦେଖାଇ ବସ୍‌ ଚଳାଚଳର ଶୁଭାରମ୍ଭ କରିବା ସହିତ ଆହାର କେନ୍ଦ୍ରରେ ଯାତ୍ରୀ ମାନଙ୍କୁ ଖାଦ୍ୟ ପରସିଥିଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ବିଜ୍ଞାନ ଓ ବୈଷୟିକ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ ଭୁବନେଶ୍ୱରର ବିକାଶରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହେଲା । ପରିବହନ କ୍ଷେତ୍ରରେ ଯାହା ଆମ ପାଇଁ ସ୍ୱପ୍ନ ଥିଲା, ତାହା ଆଜି ପୂରଣ ହେଲା । ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିଲେ । ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥି ଭାଥନନ୍ ସ୍ୱାଗତ ଭାଷଣ ଦେଇଥିଲେ ଓ ବି.ଡି.ଏ ଭି.ସି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.