csstore

ଦେଢ଼ ଲକ୍ଷ ଟଙ୍କାର ଗଂଜେଇ ଜବତ୍‌ କଲା ବଲାଙ୍ଗିର ଟାଉନ୍‌ ପୋଲିସ, ୪ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଢ଼ ଲକ୍ଷ ଟଙ୍କାର ଗଂଜେଇ ଜବତ୍‌ କରିବା ସହ ୪ ଜଣଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଛନ୍ତି ବଲାଙ୍ଗିର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ । ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଗୋଛାପଡ଼ା ଅଂଚଳର କିଛି ଲୋକ ଏକ ହୋଣ୍ଡାଇ ଏକ୍ସସେଂଟ୍‌ କାର୍‌ ନଂ.ଓଡ଼ି୨୨ଏନ୍‌୨୫୩୧ରେ ଆସି ବଲାଙ୍ଗିର ରେଳଷ୍ଟେସନ୍‌ ଅଂଚଳରେ ଗଂଜେଇ ହସ୍ତାନ୍ତର କରୁଥିବା ସୂଚନା ପାଇଥିଲା ବଲାଙ୍ଗିର ଟାଉନ୍‌ ପୋଲିସ । ତତ୍‌କ୍ଷଣାତ୍‌ ଇନ୍ସପେକ୍ଟର ବି. ମନବୋଧ ଏବଂ ଏ.ଆର୍‌.ପଟନିଆଙ୍କ ନେତୃତ୍ୱରେ ଟାଉନ୍‌ ପୋଲିସ ପକ୍ଷରୁ ଚଢ଼ଉ କରାଯାଇଥିବା ବେଳେ ରେଳଷ୍ଟେସନ୍‌ ଅଂଚଳର ଏକ ନିରୋଳା ସ୍ଥାନରେ ସଂପୃକ୍ତ କାର୍‌ ଡିକିରୁ ଜଣେ ବାଇକ୍‌ ଆରୋହୀ ଗଂଜେଇ ବ୍ୟାଗ୍‌ ନେବାକୁ ଚେଷ୍ଟା କରିବା ସମୟରେ ମାଡ଼ି ବସିଥିଲା ପୋଲିସ । ଘଟଣା ସ୍ଥଳରୁ ବାଇକ ଆରୋହୀ ଫେରାର୍‌ ମାରିଥିବା ବେଳେ କାର୍‌ରେ ଥିବା ୪ ଜଣଙ୍କୁ ପୋଲିସ କାବୁ କରି ନେଇଥିଲା । କାର୍‌ ଡିକି ଭିତରୁ ୨ଟି ବ୍ୟାଗ୍‌ରେ ୨୫ କେଜି ଗଂଜେଇ ଠାବ ହୋଇଥିଲା । ତେବେ ଏହି ମାମଲାର ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ହୋଣ୍ଡାଇ ଏକ୍ସସେଂଟ୍‌ କାର୍‌, ୨୫ କେଜି ଗଂଜେଇ ଭର୍ତ୍ତି ୨ଟି ବ୍ୟାଗ୍‌, ୨ଟି ମୋବାଇଲ୍‌ ଫୋନ୍‌ ଓ ନଗଦ ୯୦୦ ଟଙ୍କା ଜବତ୍‌ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଗିରଫ୍‌ ଅଭିଯୁକ୍ତମାନେ ହେଲେ ଖଜୁରୀଗାଁର ସୁବଲ ଦିଗାଲ(୨୯), ପିପିଲ୍‌ମାଲ୍‌ର ପଦ୍ମଲୋଚନ କହଁର(୨୪), କୁଲିଗୁଡ଼ାର ସିଦ୍ଧାନ୍ତ କହଁର(୨୩) ଏବଂ ବୃଡ଼ିଗୁଡ଼ାର ଭରତ ମହାକୁଡ଼(୩୦) । ସମସ୍ତ ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଂଚଳର ବୋଲି ସୂଚନାରେ କୁହାଯାଇଛି । ଜବତ୍‌ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଏସ୍‌ଡିପିଓ ଶ୍ରୀ ସାହୁ କହିଛନ୍ତି ।

jayashree
Leave A Reply

Your email address will not be published.