jayashree

ମାଳଗୁଣ୍ଡିରେ ସୂର୍ଯ୍ୟ ମନ୍ଦିର

ଜୟପାଟଣା, (ଶେଷଦେବ ବେହେରା) : ସୂର୍ଯ୍ୟ ଉପାସନା ଓ କାରୁକାର୍ଯ୍ୟ କ୍ଷେତ୍ରରେ କୋଣାର୍କର ପ୍ରସିଦ୍ଧି ସମଗ୍ର ବିଶ୍ଵରେ ସ୍ଵତନ୍ତ୍ର ପୃଷ୍ଠା ରଖିଥିବା ବେଳେ ପରବର୍ତ୍ତୀ କାଳରେ ସୂର୍ଯ୍ୟ ମନ୍ଦିର ତିଆରି ବିରଳ ହୋଇ ପଡ଼ିଲା । ପୁରାଣ ବର୍ଣ୍ଣିତ ଶାମ୍ବ ପୀଡ଼ିତ ହୋଇ ସୂର୍ଯ୍ୟ ଉପାସନା କଲା ପରେ ସେ ରୋଗ ମୁକ୍ତ ହୋଇଥିବାର ବିଶ୍ୱାସ ରହିଛି । ସେହି ବିଶ୍ୱାସ ଆଜି ବି ଲୋକଙ୍କ ମଧ୍ୟରେ ବଳବତ୍ତର ଥିବା ବେଳେ ଏହି ପ୍ରସିଦ୍ଧ ଶାମ୍ବ ଦଶମୀ ଦିନ ଘରେ ଘରେ ସୂର୍ଯ୍ୟ ଉପାସନା ଓ ବ୍ରତ ପାଳନର ପ୍ରଥା ଆଜି ମଧ୍ୟ ଜୀବିତ ଅଛି । ସେହିପରି କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ କୁଚା ଗାଁ ପଞ୍ଚାୟତର ମାଳଗୁଣ୍ଡି ଭଳି ଏକ ଛୋଟିଆ ପଲ୍ଲୀ ଗାଁରେ ଅବସ୍ଥିତ ସୂର୍ଯ୍ୟ ମନ୍ଦିର ବିଗତ ଷାଠିଏ ବର୍ଷ ଧରି ଏହି ଅଞ୍ଚଳର ଶ୍ରଦ୍ଧାଳୁଙ୍କ ପାଇଁ ବିଶ୍ୱାସର କେନ୍ଦ୍ରବିନ୍ଦୁ ପାଲଟିଛି । ତତ୍କାଳୀନ ସ୍ୱର୍ଗତ ହରିହର ଦାସ ସୂର୍ଯ୍ୟ ଉପାସନା ଉପରେ ଦୃଢ଼ ବିଶ୍ୱାସ ରଖି ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ । ସେହି ଦିନଠାରୁ ମନ୍ଦିର ସେହି ପରିବାରର ପରବର୍ତ୍ତୀ ଦାୟଦମାନଙ୍କ ଚାରିପିଢ଼ି ଧରି ପୂଜା ଅର୍ଚ୍ଚନା ହୋଇ ଆସୁଛି । ଏବେ ସତ୍ୟବ୍ରତ ମନ୍ଦିରର ପରିଚାଳନା ସମ୍ଭାଳିଛନ୍ତି । ଆଜି ପବିତ୍ର ଶାମ୍ବ ଦଶମୀ ଅବସରରେ ମନ୍ଦିର ପରିସରରେ ଶତାଧିକ ଶ୍ରଦ୍ଧାଳୁ ଦୂର ଦୁରାନ୍ତରୁ ଆସି ପୂଜାରେ ସାମିଲ ହୋଇଥିଲେ । ସଙ୍କୀର୍ତ୍ତନ ଦଳ ସହିତ ସୂର୍ଯ୍ୟଦେବଙ୍କ ରଥ ନଗର ପରିକ୍ରମା କରିଥିଲା । ଏହି ଅବସରରେ ସମସ୍ତେ ସ୍ୱାଗତ ପୂର୍ବକ ନିରୋଗ ଜୀବନ କାମନା କରିଥିଲେ । ମନ୍ଦିରର ପୂଜାବିଧି ସମ୍ପର୍କରେ ଶ୍ରୀ ଦାସଙ୍କୁ ପଚାରିବାରୁ ପ୍ରତି ଶାମ୍ବ ଦଶମୀ, ମକର ସଂକ୍ରାନ୍ତି ଓ ତିଳ ସପ୍ତମୀ ଦିନ ସ୍ଵତନ୍ତ୍ର ପୂଜା ବିଧିର ବ୍ୟବସ୍ଥା ରହିଥିବା ବେଳେ ଅନ୍ୟ ଦିନମାନଙ୍କରେ ବାଳ ଭୋଗ, ଅନ୍ନ ଭୋଗ ଓ ମଙ୍ଗଳ ଆଳତି କରାଯାଇ ଥାଏ ବୋଲି ପ୍ରକାଶ କରିଥିଲେ । ଏବେ ଶ୍ରଦ୍ଧା ଓ ଭକ୍ତିର ସହ ମାନସିକଧାରୀମାନକ ସଂଖ୍ୟା ବଢ଼ୁ ଥିବାର ଦେଖିବାକୁ ମିଳୁଛି ।

Leave A Reply

Your email address will not be published.