ବଲାଙ୍ଗିର, (କେପିଏନ୍ଏସ୍) : ଗିରଫ ହେଲା ଲକ୍ଷ ଲକ୍ଷ ଟଙ୍କା ନେଇ ଜାଲ ନିଯୁକ୍ତି ପତ୍ର ଦେଇଥିବା ଠକ । ଆଜି ଅପରାହ୍ଣରେ ବଲାଙ୍ଗିର ଟାଉନ୍ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ସୂଚନା ଦିଆଯାଇଛି । ବଲାଙ୍ଗିର ଟାଉନ୍ ଥାନା ଆଇଆଇସି ବିଶ୍ୱଜିତ୍ ମନବୋଧଙ୍କ ଉପସ୍ଥିତିରେ ଏସ୍ଡିପିଓ ତୋଫାନ ବାଗ ଘଟଣା ସମ୍ପର୍କରେ ଖୁଲାସା କରିଛନ୍ତି । ଜାଲ ନିଯୁକ୍ତି ପତ୍ର ମାମଲାର ଅଭିଯୁକ୍ତ ବୃନ୍ଦାବନ ମିନାକା(୫୩)ଙ୍କୁ ଗିରଫ୍ କରିବା ସହ ତାଙ୍କ ପାଖରୁ ଦେଢ଼ ଲକ୍ଷ ଟଙ୍କା ଏବଂ ଏକ ମୋବାଇଲ୍ ଫୋନ୍ ଜବତ କରିଛି ବଲାଙ୍ଗିର ପୋଲିସ । ଗତ ୧୬ ତାରିଖ ଦିନ ରାୟଗଡ଼ା ଜିଲ୍ଲା କଲ୍ୟାଣପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁରର ଯୁବତୀ ଅନନ୍ୟା ପରିଚ୍ଛା ୱେଲଫେୟାର୍ ଏକ୍ସଟେନ୍ସନ୍ ଅଫିସର୍ ପୋଷ୍ଟ ପାଇଁ ଏକ ନକଲି ନିଯୁକ୍ତି ପତ୍ର ନେଇ ବଲାଙ୍ଗିର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତେବେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ ନିଯୁକ୍ତି ପତ୍ର ନକଲି ହୋଇଥିବା ଯୋଗୁଁ ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ଉକ୍ତ ଯୁବତୀଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରିଥିଲା ପୋଲିସ । ପଚରା ଉଚୁରାରୁ ପୋଲିସ ଜାଣିବାକୁ ପାଇଥିଲା ଯେ, ବୃନ୍ଦାବନ ମିନାକା ନାମକ ଜଣେ ସରକାରୀ ପ୍ରାଥମିକ ସ୍କୁଲ ଶିକ୍ଷକ ଟଙ୍କା ନେଇ ସରକାରୀ ବିଭାଗରେ ଖାଲି ରହିଥିବା ପଦବୀରେ ନିଯୁକ୍ତି କରାଇ ଦେଉଛନ୍ତି ବୋଲି ଅନନ୍ୟାଙ୍କ ବାପା ଜାଣି ବୃନ୍ଦାବନଙ୍କ ସଂସ୍ପର୍ଶରେ ଆସିଥିଲେ । ଏହାପରେ ଅନନ୍ୟାଙ୍କୁ ସରକାରୀ ଚାକିରୀ ଦେବା ନାଁରେ ପ୍ରଥମ କିସ୍ତିରେ ବୃନ୍ଦାବନ ୫ ଲକ୍ଷ ଟଙ୍କା ନେଇଥିବା ବେଳେ ଏହାର କିଛି ଦିନ ପରେ ଅନନ୍ୟାଙ୍କ ପାଖକୁ ଡାକ ଯୋଗେ ନିଯୁକ୍ତି ପତ୍ର ପହଁଞ୍ଚିଥିଲା । ଅନନ୍ୟା ନିଯୁକ୍ତି ପତ୍ର ପାଇବା ପରେ ବୃନ୍ଦାବନ ମିନାକା ଆହୁରୀ ୮ ଲକ୍ଷ ୪୦ ହଜାର ଟଙ୍କା ନେଇଥିଲେ । ତେବେ ଅନନ୍ୟା ବଲାଙ୍ଗିର ପହଞ୍ଚି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗଦେବା ପାଇଁ ପହଞ୍ଚିବା ପରେ ଅଧିକାରୀଙ୍କୁ ତାଙ୍କ ନିଯୁକ୍ତି ପତ୍ର ଦେଖାଇଥିଲେ, ଯାହା ନକଲି ବୋଲି ଜାଣିପାରିଥିଲେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ବିଶ୍ୱାଳ । ଏହା ପରେ ବଲାଙ୍ଗିର ଟାଉନ୍ ପୋଲିସ ତଦନ୍ତ ଆରମ୍ଭ କରି ଘଟଣାର ମାଷ୍ଟରମାଇଣ୍ଡ ବୃନ୍ଦାବନ ମିନାକାଙ୍କୁ ରାୟଗଡ଼ାରୁ ଗିରଫ କରିବା ସହ ଏହି ମାମଲାର ବିଭିନ୍ନ ଦିଗ ଉପରେ ତଦନ୍ତ ଜାରି ରଖିଛି ।